Home > ଖବର ଓଡିଶା ସ୍ପେସିଆଲ
“ପାଠ ପଢିବି ଓକିଲ ହେବି, ମଧୁବାବୁ ସଙ୍ଗେ ଲଢିବି” ଆଜି ସେହି ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧାଙ୍କ ପୁଣ୍ୟତିଥି
Khabar Odisha:state-odisha-Madhusudans-death-anniversary
ଭୁବନେଶ୍ଵର, ଫେବୃଆରୀ ୦୪ (ଖବର ଓଡ଼ିଶା) :

“ପାଠ ପଢିବି ଓକିଲ ହେବି, ମଧୁବାବୁ ସଙ୍ଗେ ଲଢିବି” ଜାତି ଡାକ ଶୁଣି ଛାତି ଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢିବି। ଯାହାଙ୍କ ପାଇଁ ଏହି ଉକ୍ତିଟି ଲେଖାଯାଇଛି ଆଜି ସେହି ମହାନ ମହାପୁରୁଷ, ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି। ସେ ଥିଲେ ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲଏଲବି, ପ୍ରଥମ ଓଡ଼ିଶା-ବିହାର ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ। ୨୮ ଅପ୍ରେଲ ୧୮୪୮ରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଏହି ମହାପୁରୁଷ ଜନ୍ମଗ୍ରହଣ କରିଥିଲେ। ୧୯୩୪ ଫେବୃଆରୀ ୪ରେ ତାଙ୍କର ତିରୋଧାନ ହୋଇଥିଲା। 

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରୀକରଣ କରିବା ପାଇଁ ସେ ସାରା ଜୀବନ ସଙ୍ଘର୍ଷ କରିଥିଲେ। ତାଙ୍କର ସଫଳ ପ୍ରଚେଷ୍ଟାରେ ୧୯୩୬ ଅପ୍ରେଲ ୧ରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଭାବରେ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ମୋଚୀମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ସେ ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରୀ ଏବଂ କଟକର ସୁନା-ରୁପା ତାରକସି କାମ ପାଇଁ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ। 

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର-ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, "ଉତ୍କଳ ସନ୍ତାନ", "ଜାତି ଇତିହାସ", "ଜ୍ଞାନୀର ଉକ୍ତି", "ଜାତୀୟ ଗୀତିକା" । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ ।

ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ । ଅଧୁନା ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି ।

ଉତ୍କଳର ଜନସାଧାରଣଙ୍କ ମନରୁଲିଭି ନ ଥାଏ ଭୂମିକମ୍ପର ପ୍ରଭାବ । ଏତେବେଳେ ଦୈନିକ ଖବରକାଗଜ 'ସମାଜ'ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ସଭିଏଁ । ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ । ତାଙ୍କ ଅନ୍ତନଳୀରେ ଘା' ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା ।୧୯୩୪ ମସିହା ୬ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମ। ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା ।