Home > ଖବର ଓଡିଶା ସ୍ପେସିଆଲ
ନବରାତ୍ରୀର ଅଷ୍ଟମ ଦିନ : ମହାଷ୍ଟମୀରେ ମହାଗୌରୀ ବେଶରେ ପୂଜା ପାଉଛନ୍ତି ମା’ ଜଗଦମ୍ବା
Khabar Odisha:state-odisha-navaratri-8th-day-mahagouri-besa
ଭୁବନେଶ୍ଵର, ଅକ୍ଟୋବର ୬ (ଖବର ଓଡିଶା) :

ଆଜି ଶାରଦୀୟ ଦୁର୍ଗାପୂଜାର ଅଷ୍ଟମ ଦିନ । ଏନେଇ ଚତୁର୍ଦ୍ଦିଗ ଉତ୍ସବମୁଖର। ମନ୍ଦିର ଠାରୁ ମଣ୍ଡପ ଯାଏଁ ପୁଲକିତ ହୋଇ ଉଠିଛି। କାହିଁକି ନା ମା’ ଆସିଛି। ନଅ ଦିନ ବ୍ୟାପୀ ହେଉଥିବା ଶାରଦୀୟ ଦୁର୍ଗାପୂଜାର ଆଜି ସପ୍ତମ ଦିନ। ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ ଓ ଅଷ୍ଟମ ଦିନରେ ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ବିଶ୍ୱାସ ରହିଛି, ଅଷ୍ଟମୀରେ ମା’ ଆଦିଶକ୍ତିଙ୍କ ଅଷ୍ଟମ ଏବଂ ଶାନ୍ତ ରୂପ ମା’ ମହାଗୌରୀଙ୍କ ଉପାସନା କରାଯାଏ । 

ପୌରାଣିକ କଥାନୁସାର , ଦେବୀ ପାର୍ବତୀଙ୍କ ରୂପରେ ମା’ ମହାଗୌରୀ ଭଗବାନ ମହାଦେବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ଥରେ ନିଳକଣ୍ଠଙ୍କ ରୁକ୍ଷ ବାକ୍ୟରେ ମା’ଙ୍କ ମନକୁ ଆଘାତ ପହଁଚିଥିଲା ଏବଂ ମା’ କଠୋର ତପସ୍ୟାରେ ଲିନ ହୋଇଯାଇଥିଲେ । ଅନେକ ଯୁଗ ପରେ ମା’ଙ୍କ ତପସ୍ୟା ଯେତେବେଳେ ଭଗ୍ନ ହୋଇନଥିଲା ପ୍ରଭୂ ଭୋଳାନାଥ ସ୍ୱୟଂ ମା’ଙ୍କୁ ଖୋଜିବା ପାଇଁ ବାହାରି ପଡିଥିଲେ । ମା’ଙ୍କୁ ତପସ୍ୟାରେ ଏଭଳି ମଗ୍ନ ଥିବାର ଦେଖି ଭଗବାନ ଶିବ ଆଶ୍ଚର‌୍ୟ୍ୟଚକିତ ହୋଇଯାଇଥିଲେ । ଅନେକ ଯୁଗ ଅନ୍ତରାଳେ ମଧ୍ୟ ମାତାଙ୍କ ଶରୀରରୁ ଉର୍ଜ୍ଜା ଏବଂ ତେଜ ବାହାରୁଥିଲା । ମାତା ପାର୍ବତୀଙ୍କ ଶରୀରର ରଙ୍ଗ ସ୍ୱର୍ଣ୍ଣ ଭଳି, ତାଙ୍କ ମନଲୋଭା ଛବି ଚନ୍ଦ୍ରମା ସମାନ ଶ୍ୱେତ ଏବଂ ଜୁଇ ଫୁଲ ଭଳି ଧବଳ । ମାତାଙ୍କ ବସ୍ତ୍ର ଏବଂ ଆଭୁଷଣରେ ପ୍ରସନ୍ନ ହୋଇ ଦେବୀ ଉମା ଗୌରବରଣର ବରଦାନ ମିଳିଛି ଏବଂ ମା’ଙ୍କ ନାଁ “ମହାଗୌରୀ” ରହିଛି ।

ପୁରାଣରେ ଆଉ ଏକ କଥା ରହିଛି ଯେଉଁଥିରେ ଭଗବାନ ଶିବଙ୍କୁ ବର ରୂପେ ପ୍ରାପ୍ତ କରିବା ପାଇଁ ମାତାଙ୍କୁ କଠୋର ତପ କରିବାକୁ ପଡେ । ଅନେକ ଯୁଗ ତପସ୍ୟା କରିବା କାରଣରୁ ତାଙ୍କ ଶରୀର କଳା ପଡିଯାଏ । ଦେବୀଙ୍କ ତପରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଅର୍ଦ୍ଧାଙ୍ଗିନୀ ରୁପେ ସ୍ୱୀକାର କରନ୍ତି ଏବଂ ମଳିନ ପଡିଥିବା ତାଙ୍କ ଶରୀରକୁ ଗଙ୍ଗା ଜଳରେ ଧୋଇଦିଅନ୍ତି । ଏହାପରଠାରୁ ଦେବୀଙ୍କ ମଳିନ ଶରୀର ଅତ୍ୟନ୍ତ କାନ୍ତିମାନ ଗୌରବର୍ଣ୍ଣର ହୋଇଯାଏ । ସେବେଠାରୁ ହିଁ ମା’ଙ୍କ ନାଁ ମହାଗୌରୀ ରହିଛି । ନବରାତ୍ରୀର ମହାଷ୍ଟମୀରେ ମାଙ୍କୁ ପୂଜାର୍ଚ୍ଚନା କଲେ ସର୍ବତ୍ର ସିଦ୍ଧି ଲାଭ ମିଳେ। 

ମା’ଙ୍କ ଧ୍ୟାନ

ଯା ଦେବୀ ସର୍ବଭୂତେଷୁ ମା ମହାଗୌରୀ ରୂପେଣ ସଂସ୍ଥିତା।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।