Home > କ୍ରୀଡ଼ା
କରୋନା ଭାଇରସ ଯୋଗୁଁ ସ୍ଥଗିତ ରହିବ ଟୋକିଓ ୨୦୨୦ ଅଲିମ୍ପିକ କ୍ରୀଡ଼ା: ଆଇଓସି
Khabar Odisha:Nation-2020-Olympics-Games-will-be-postponed-due-to-coronavirus-says-IOC-member

ନୂଆଦିଲ୍ଲୀ, ମାର୍ଚ୍ଚ ୨୪ (ଖବର ଓଡ଼ିଶା): ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ବରିଷ୍ଠ ସଦସ୍ୟ ଡିକ ପଣ୍ଡ ସୋମବାର କହିଛନ୍ତି, କରୋନା ଭାଇରସର ସ୍ଥିତିକୁ ଦେଖି ୨୦୨୦ ଟୋକିଓ ଅଲିମ୍ପିକ କ୍ରୀଡ଼ା ସ୍ଥଗିତ ରହିବ । ଏହି କ୍ରୀଡ଼ାକୁ ବର୍ଷେ ପାଇଁ ଆଗକୁ ଘୁଞ୍ଚାଇ ଦିଆଯିବ । ସେ କହିଛନ୍ତି, ବିଶ୍ୱର ଏହି କ୍ରୀଡ଼ା କୁମ୍ଭମେଳା ୨୦୨୧ରେ ଆୟୋଜନ ହୋଇପାରେ । ଅଷ୍ଟ୍ରେଲିଆ ଓ କାନାଡା ଟୋକିଓ ଅଲିମ୍ପିକରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିବା ପରେ ଡିକ ପଣ୍ଡଙ୍କ ଏହି ବୟାନ ଗଣମାଧ୍ୟମକୁ ଆସିଛି । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ ଚଳିତ ବର୍ଷ ଜୁଲାଇ ୨୪ରୁ ଆରମ୍ଭ ହେବାର ଥିଲା । 

ଆଇଓସି ସଦସ୍ୟ କହିଛନ୍ତି ଯେ ଗୋଟିଏ ବର୍ଷ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଅର୍ଥାତ ଅଲିମ୍ପିକ କ୍ରୀଡ଼ା ୨୦୨୧ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ଯୋଜନା କରାଯାଉଛି । ସେ କହିଛନ୍ତି ଯେ, ଶେଷ ନିଷ୍ପତ୍ତି ନିଆଯିବା ପୂର୍ବରୁ ଷ୍ଟେକହୋଲଡର, କ୍ରୀଡ଼ାବିତ, ପ୍ରସାରଣକାରୀ ସଂସ୍ଥା ଓ କ୍ରୀଡ଼ା ସଂଗଠନମାନଙ୍କୁ ଜଣାଇ ଦିଆଯିବ । 

ରବିବାର ଦିନ ଆଇଓସି ସଭାପତି ଥୋମାସ ବେଚ ଘୋଷଣା କରିଥିଲେ ଯେ, ୨୦୨୦ ଟୋକିଓ ଅଲିମ୍ପିକ ରଦ୍ଦ କରାଯିବା ନେଇ ସେମିତି ଯୋଜନା ନାହିଁ । କିନ୍ତୁ ଭାଇରସକୁ ଦୃଷ୍ଟିରେ ରଖି ଏହାକୁ ଘୁଞ୍ଚାଇ ଦିଆଯାଇପାରିବ । ସେହିପରି ଅଲିମ୍ପିକ କ୍ରୀଡ଼ା ଆୟୋଜନ ଘୁଞ୍ଚାଇ ଦେଲେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଆଇଓସିର ବୋର୍ଡ କହିଥିଲେ । 

 

  • Tags: