Home > କ୍ରୀଡ଼ା
ମୁଷ୍ଟିଯୋଦ୍ଧା ମେରୀ କମ, ପଙ୍ଘାଲଙ୍କ ସମେତ ୮ ଜଣ ଭାରତୀୟଙ୍କୁ ମିଳିଲା ଅଲିମ୍ପିକ ଟିକେଟ
Khabar Odisha:Nation-Six-time-world-champion-MC-Mary-Kom-qualifies-for-Tokyo-Olympics-congratulated-by-sports-minister

ଅମ୍ମାନ, ମାର୍ଚ୍ଚ ୧୦ (ଖବର ଓଡ଼ିଶା): ଛଅ ଥର ବିଶ୍ୱ ଚାମ୍ପିଅନ ମେରୀ କମ ଓ ବିଶ୍ୱ ଚାମ୍ପିଅନଶିପରେ ରୌପ୍ୟପଦକ ବିଜେତା ଅମିତ ପଙ୍ଘାଲ ସମେତ ଏପର୍ଯ୍ୟନ୍ତ ୮ ଜଣ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ଅଲିମ୍ପିକ ଟିକେଟ ମିଳିଛି । ଏଠାରେ ଜାରି ହୋଇଥିବା ଅଲିମ୍ପିକ କ୍ୱାଲିଫାୟରେ ବିଜୟ ହାସଲ କରିବା ପରେ ମେରୀ କମଙ୍କୁ ଅଗାମୀ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟବିବେଚନା କରାଯାଇଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଡ ମେରି କମ ମହିଳାଙ୍କ ୫୧ କିଲୋ ବର୍ଗର କ୍ୱାର୍ଟର ଫାଇନାଲରେ ୨୮ ବର୍ଷୀୟ ଫିଲିପାଇନ୍ସ ପ୍ରତିଯୋଗୀ ଆଇରିସ ମେଗନୋଙ୍କୁ ଏକତରଫା ୫-୦ରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଅଲିମ୍ପିକ ଖେଳିବାର ସ୍ୱପ୍ନକୁ ପୂରା କରିଛନ୍ତି । 

ବିଶ୍ୱ ରେକିଂରେ ୫ନମ୍ବର ସ୍ଥାନ ପାଇଥିବା ମେରୀ କମ ପ୍ରଥମ ରାଉଣ୍ଡରେ ସାମାନ୍ୟ ହତାଶ ହୋଇଯାଇଥିଲେ । କିନ୍ତୁ ଦ୍ୱିତୀୟ ରାଉଣ୍ଡ ବେଳକୁ ସେ ଆକ୍ରମଣାତ୍ମକ ଦେଖାଯାଇଥିଲେ । ସେ ନିଜର ବଳକୁ ପ୍ରୟୋଗ କରିଥିଲେ । ଏଥି ସହିତ ନିଜର ଲକ୍ଷ୍ୟ ପାଇଁ ଜୋରଦାର ଲଢ଼େଇ କରିଥିଲେ । ଅଭିଜ୍ଞ ଖେଳାଳୀ ମେରୀ କମ ତୃତୀୟ ଓ ଅନ୍ତିମ ରାଉଣ୍ଡରେ ନିଜର ଅଭିଜ୍ଞତାକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରି ବିରୋଧୀଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଫଳରେ ସେ ୫-୦ରେ ବିଜୟିନୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ମେରୀ କମ ଅଲିମ୍ପିକ ପାଇଁ ଟିକେଟ ହାସଲ କରିଛନ୍ତି । 

ମେରୀ କମ ସେମିଫାଇନାଲରେ ଚୀନର ଯୁଆନ ଚାଙ୍ଗକୁ ଭେଟିବେ । ପୁରୁଷ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ାରେ ଚାମ୍ପିନଅ ହୋଇଥିବା ପଙ୍ଘାଲ ୫୨ କିଲୋ ବର୍ଗରେ କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଏସିଆ ଖେଳର ଚାମ୍ପିଅନ ଫିଲିପାଇନ୍ସର କାର୍ଲୋ ପାଲମଙ୍କୁ ୪-୧ରେ ପରାସ୍ତ କରି ଅଲିମ୍ପିକ ଟିକେଟ ହାସଲ କରିଛନ୍ତି । ଏଥି ସହ ସେ ନିଜର ପ୍ରଥମ ଥର ପାଇଁ ଅଲିମ୍ପିକ ଖେଳିବା ସ୍ୱପ୍ନ ପୂରା କରିଛନ୍ତି । 

ଏପର୍ଯ୍ୟନ୍ତ ଭାରତରୁ ଆଠ ଜଣଙ୍କୁ ଟିକେଟ ମିଳି ସାରିଥିବା ବେଳେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମେରୀକମଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହା ଏକ ଐତିହାସିକ ମୂହୁର୍ତ୍ତ । 

 

  • Tags: