Home > କ୍ରୀଡ଼ା
ଦ୍ୱି-ଶତକ ହାସଲ କଲା ପରେ ବି ଟିମରେ ସ୍ଥାନ ପାଇ ନ ଥିଲେ ଇଂଲିଶ ବ୍ୟାଟ୍ସମ୍ୟାନ ଜ୍ୟୋଫ୍ରି ବଏକଟ
Khabar Odisha:Sports-Bday-special-Englands-batsman-Geoffrey-boycott-was-ousted-from-team-despite-making-double-century

ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡ଼ିଶା): ଇଂଲଣ୍ଡର ଜଣାଶୁଣା ବ୍ୟାଟ୍ସମ୍ୟାନ ଜ୍ୟୋଫ୍ରି ବଏକଟ ସୋମବାର ୭୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ଥର ବିବାଦ ଭିତରକୁ ଆସିଥିଲେ । ତାଙ୍କର ବ୍ୟାଟିଂ ଶୈଳୀ ଉଚ୍ଚକୋଟୀର ଥିଲା । ଦୀର୍ଘ ଜୀବନ ପର୍ଯ୍ୟନ୍ତ କ୍ରିକେଟ ଖେଳିଥିବା ବଏକଟଙ୍କ କ୍ୟାରିୟର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗତି ଦେଇଚାଲିଥିଲା । ବଏକଟ ୧୯୪୦ ଅକ୍ଟୋବର ୨୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୋଇଲା ଖଣିରେ କାମ କରୁଥିଲେ । ସ୍କୁଲରେ ପଢ଼ିବା ଦିନ ଠାରୁ କ୍ରିକେଟ ପ୍ରତି ମନ ବଳାଇଥିଲେ । ବର୍ଷ ୧୯୬୨ରେ କାଉଣ୍ଟି କ୍ରିକେଟ ଖେଳିବା ପରେ ସେ ଆଉ ପଛକୁ ଫେରି ନ ଥିଲେ । ସେ ୧୯୮୬ ଯାଏଁ ଇଂଲଣ୍ଡ ପାଇଁ କ୍ରିକେଟ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ୧୯୬୪ରେ ଖେଳିଥିଲେ । 

ନିଜର ୧୦୮ ଟେଷ୍ଟ ମ୍ୟାଚର ୧୯୩ ପାଳିରେ ୨୩ଥର ଅପରାଜିତ ରହି ବଏକଟ ୪୭.୭୩ ହାରରେ ଏକ ଦ୍ୱିଶତକ, ୨୨ ଶତକ ଓ ୪୨ ଅର୍ଦ୍ଧଶତକ ହାସଲ ସହ ମୋଟ ୮୧୧୪ ରନ କରିଥିଲେ । ମାତ୍ର ସେ ଟେଷ୍ଟରେ ଯେଭଳି ଖେଳିଥିଲେ, ଦିନିକିଆରେ ତାଙ୍କର ପ୍ରଦର୍ଶନ ସେଭଳି ନ ଥିଲା । ସେ କେବଳ ୩୬ଟି ଦିନିକିଆ ଖେଳି ଥିବା ବେଳେ ୩୬.୦୭ ହାରରେ ମୋଟ ୧୦୮୨ ରନ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ସାମିଲ ଥିଲା । ଏହା ବ୍ୟତୀତ ଟେଷ୍ଟ ବୋଲିଂରେ ସେ ୧୦୮ଟି ମ୍ୟାଚର ୨୦ଟି ପାଳିରେ ୫୪.୫୭ ହାରରେ ୭ ୱିକେଟ ନେଇଥିଲେ । ସେହିଭଳି ଦିନିକିଆରେ ସେ ୫ଟି ୱିକେଟ ନେଇଥିଲେ । 

ସବୁଠାରୁ ବଡ଼ କଥା ଯେ, ବଏକଟ ଦ୍ୱି-ଶତକ ମାରିବା ପରେ ମଧ୍ୟ ଟିମରେ ପରବର୍ତ୍ତୀ ସମୟରେ ସ୍ଥାନ ପାଇ ନ ଥିଲେ । ବଏକଟ ୧୯୬୭ରେ ଇଂଲଣ୍ଡ ପାଇଁ ଗୋଟିଏ ପାଳିରେ ବ୍ୟକ୍ତିଗତ ଭାବେ ୨୪୬ ରନ କରିଥିଲେ । ଏଥି ପାଇଁ ସେ ୫୭୩ଟି ବଲ ଖେଳିଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ୬ ୱିକେଟରେ ବିଜୟୀ ହୋଇଥିଲା । ମନ୍ଥର ବ୍ୟାଟିଂ ଯୋଗୁଁ ତାଙ୍କୁ ଟିମରୁ ୩ ବର୍ଷ ଯାଏଁ ବାହାର କରି ଦିଆଯାଇଥିଲା ।  

  • Tags: