Home > କ୍ରୀଡ଼ା
୨ୟ ଦିନିକିଆ: ୱେଷ୍ଟଇଣ୍ଡିଜ ବିପକ୍ଷ ବର୍ଷା ବାଧିତ ମ୍ୟାଚକୁ ୫୯ ରନରେ ଜିତିଲା ଭାରତ
Khabar Odisha:Sports-India-won-by-59-runs-DLS-method---2nd-inn-reduced-to-46-overs-due-to-rain---target-270

ପୋର୍ଟ ଅଫ ସ୍ପେନ, ଅଗଷ୍ଟ ୧୨ (ଖବର ଓଡ଼ିଶା): ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ରବିବାର ବର୍ଷା ବାଧିତ ମ୍ୟାଚକୁ ୫୯ ରନରେ ଜିତିଛି । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ୨୮୦ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସକୁ ୪୬ ଓଭର କରି ଦିଆଯାଇଥିଲା ଏବଂ ୱେଷ୍ଟଇଣ୍ଡିଜକୁ ୨୭୦ ରନ ଟାର୍ଗେଟ ଦିଆଯାଇଥିଲା । ଘରୋଇ ଟିମ ୪୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୧୦ ରନ କରିଥିଲା । ଭାରତର ଏହି ବିଜୟ ସହିତ ୩ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଅଛି । ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା । 

ୱେଷ୍ଟଇଣ୍ଡିଜର ଭରସାଯୋଗ୍ୟ କ୍ରିକେଟର କ୍ରିସ ଗେଲଙ୍କ ବ୍ୟାଟରୁ ଭଲ ରନ ବାହାରି ନଥିଲା । ସେ ୨୪ଟି ବଲ ଖେଳି ମାତ୍ର ୧୧ ରନ କରିଥିଲେ । ଗେଲଙ୍କୁ ଭୁବନେଶ୍ୱର କୁମାର ଏଲବିଡବ୍ଲୁ କରିଥିଲେ । ଇଭିନ ଲୁଇସ ୬୫ ରନ କରିଥିଲେ । ସେ ୮୦ଟି ବଲ ଖେଳି ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । କୁଲଦୀପ ଯାଦବଙ୍କ ବଲ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ । ସେହିପରି ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ ୫୨ଟି ବଲ ଖେଳି ୪୨ ରନ କରିଥିଲେ । ଭୁବନେଶ୍ୱରଙ୍କ ବଲ କୋହଲିଙ୍କୁ ଦେଇ ପୂରନ ଆଉଟ ହୋଇଥିଲେ । ସିମରନ ହେଟମେୟର ଓ ରୋସ୍ତନ ଚେସ ୧୮-୧୮ ରନ ଯୋଡ଼ିଥିଲେ । ଅଧିନାୟକ ଜେସନ ହୋଲଡର ଅପରାଜିତ ୧୩ ରନ କରିଥିବା ବେଳେ  ସେଲଡନ କଟ୍ରେଲଙ୍କ ବ୍ୟାଟରୁ ୧୭ ରନ ମିଳିଥିଲା । 

ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କୋହଲିଙ୍କ ଶତକ (୧୨୦ ରନ) ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ (୭୧ ରନ) ବଳରେ ଟିମ ୨୭୯ ରନ କରିଥିଲା । କେଦାର ଯାଦବ ଓ ରବୀନ୍ଦ୍ର ଜାଦେଜା ୧୬-୧୬ ରନ ଯୋଡ଼ିଥିବା ବେଳେ ଓପନର ରୋହିତ ଶର୍ମା ୧୮ ରନ କରିଥିଲେ । ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଟିମ ପାଇଁ ୨୦ ରନ ଯୋଡ଼ିଥିଲେ । 

  

 

  • Tags: