Home > କ୍ରୀଡ଼ା
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ସ୍କୋର ୫/୧୫୩, ଦୃଢ଼ ସ୍ଥିତିରେ ଭାରତ
Khabar Odisha:Sports-cricket-Day-2-Lunch-Break---New-Zealand-opt-to-bowl-score-153-runs-lost-5-wickets

ଖ୍ରୀଷ୍ଟଚର୍ଚ୍ଚ, ମାର୍ଚ୍ଚ ୦୧ (ଖବର ଓଡ଼ିଶା): ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ରବିବାର ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ଶିକାର ହୋଇଛନ୍ତି । ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଓଭାଲ ପଡ଼ିଆରେ ନ୍ୟୁଜିଲାଣ୍ଡ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା । ମାତ୍ର କୋହଲି ବାହିନୀର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଟିମ ୨୪୨ ରନରେ ଅଟକି ଯାଇଥିଲା । ଏହା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦିନ କୌଣସି ୱିକେଟ ନହରାଇ ୬୩ ରନ ଯୋଡ଼ିଥିଲା । କିନ୍ତୁ ଆଜି ଖେଳ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଛି । 

ନ୍ୟୁଜିଲାଣ୍ଡର ଓପନର ଟମ ଲାଥମ ୫୨ ରନ ସଂଗ୍ରହ କରିଥିଲେ । ସେ ୧୨୨ଟି ବଲ ଖେଳି ୫ଟି ଚୌକା ସହାୟତାରେ ଏହା ହାସଲ କରିଥିଲେ । ମହମ୍ମଦ ସାମିଙ୍କ ଦ୍ୱାରା ବୋଲରେ ସେ ପାଭଲିଅନ ଫେରିଯାଇଥିଲେ । ଅନ୍ୟତମ ଓପନର ଟମ ବ୍ଲଣ୍ଡେଲ ୭୭ଟି ବଲ ସମ୍ମୁଖୀନ ହୋଇ ୩୦ ରନ କରିଥିଲେ । ସେ ଉମେଶ ଯାଦବଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ଆଉଟ ହେବା ପରେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଅଧିନାୟକ କେନ ୱିଲିୟମସନ । ଦଳର ମାଇଲ ଖୁଣ୍ଟ କୁହାଯାଉଥିବା ୱିଲିୟମସନ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲେ । ସେ ୩ଟି ବଲର ସମ୍ମୁଖୀନ ହୋଇ ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କ ଦ୍ୱାରା ଆଉଟ ହୋଇଥିଲେ 

ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ବ୍ୟାଟ କାମ କରି ନଥିଲା । ସେ ୩୭ଟି ବଲ ଖେଳି ଦଳ ପାଇଁ ମାତ୍ର ୧୫ ରନ ଯୋଡ଼ିଥିଲେ । ମଧ୍ୟକ୍ରମର ଅନ୍ୟତମ ବ୍ୟାଟ୍ସମ୍ୟାନ ହେନରୀ ନିକୋଲାସ ମଧ୍ୟ ପ୍ରଶଂସକଙ୍କୁ ସନ୍ତୁଷ୍ଟ କରିପାରି ନଥିଲେ । ମହମ୍ମଦ ସାମୀଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ଆଉଟ ହେବା ପୂର୍ବରୁ ସେ ୨୭ଟି ବଲ ଖେଳି ୧୪ ରନ ସଂଗ୍ରହ କରିଥିଲେ । ତେବେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ନ୍ୟୁଜିଲାଣ୍ଡ ୫ଟି ୱିକେଟ ହରାଇ ୧୫୩ ରନ କରିଥିଲା । 

ଭାରତର ଓପନର ପୃଥ୍ୱୀ ଓ ୫୪ ରନ, ଚେତେଶ୍ୱର ପୂଜାରା ୫୪ ରନ, ହନୁମା ବିହାରୀ ୫୫ ରନ ସଂଗ୍ରହ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପୃଥ୍ୱୀ ୬୪ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ଓ ଗୋଟିଏ ଛକା ପ୍ରହାର କରିଥିଲେ । ଜେମିସନଙ୍କ ବଲ ଟମ ଲାଥମଙ୍କୁ କ୍ୟାଚ ଦେଇ ପୃଥ୍ୱୀ ପାଭଲିଅନକୁ ଫେରିଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ୧୧ଟି ବଲ ଖେଳି ୭ ରନ ସଂଗ୍ରହ କରିପାରିଥିଲେ । ଏଥିରେ ଗୋଟିଏ ଚୌକା ମଧ୍ୟ ସାମିଲ ଥିଲା । ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ବିପର୍ଯ୍ୟର ସମ୍ମୁଖୀନ ହୋଇ ଅଗ୍ରୱାଲ କ୍ରିଜ ଛାଡ଼ିଥିଲେ । ନ୍ୟୁଜିଲାଣ୍ଡର ବୋଲର କାଏଲ ଜେମିସନ ୫ଟି ୱିକେଟ ନେଇଥିଲେ । ସେହିପରି ଟିମ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ୨-୨ ୱିକେଟ ମିଳିଥିଲା ବେଳେ ନେଲ ୱାଗନର ନେଇଥିଲେ ଗୋଟିଏ ୱିକେଟ । 

 

  • Tags: