Home > କ୍ରୀଡ଼ା
ପ୍ରଥମ ଟେଷ୍ଟ: ଟସ ଜିଣି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି, କୋହଲିଙ୍କ ନେତୃତ୍ୱରେ ଭାରତ କରୁଛି ବୋଲିଂ
Khabar Odisha:Sports-cricket-Bangladesh-option-to-bat-first-against-India-in-Indore-of-Madhya-Pradesh

ଇନ୍ଦୋର, ନଭେମ୍ବର ୧୪ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଗୁରୁବାର ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଟସ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବୋଲିଂ କରୁଛି । 

ରବିବାର ଶେଷ ହୋଇଥିବା ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ବିଜୟୀ ହେବା ପରେ ଦଳର ମନୋବଳ ବଢ଼ିଯାଇଛି । ଦୁଇ ମ୍ୟାଚର ଟେଷ୍ଟ ଶୃଙ୍ଖଳାକୁ ନିଜର ନିୟନ୍ତ୍ରଣରେ ଆଣିବା ପାଇଁ ଭାରତ ରଣନୀତି କରିଛି । ସେହିପରି ବାଂଲାଦେଶ ମଧ୍ୟ ନିଜର ବୋଲିଂ ଶୈଳୀ ଦମ୍ଭରେ ଭାରତକୁ କଡ଼ା ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ।  ଇନ୍ଦୋରରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ ପାଇଁ ଦର୍ଶକମାନେ ମଧ୍ୟ ଉତ୍ସାହିତ ଅଛନ୍ତି । 

ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ବୁଧବାର ବିରାଟ କହିଛନ୍ତି ଯେ, ବାଂଲାଦେଶ ଦଳକୁ ଆମେ ହାଲୁକାରେ ନେଇ ପାରିବୁ ନାହିଁ। ଏହି ଦଳ ସମୟ ସମୟରେ ଆମକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଆମେ ୨-୧ରେ ଟି-୨୦ ଶୃଙ୍ଖଳା ଜିତିଥିଲେ ମଧ୍ୟ ବାଂଲାଦେଶର ବୋଲର ଉନ୍ନତ ପ୍ରଦର୍ଶନ କରିଛନ୍ତି। ତେଣୁ ବାଂଲାଦେଶକୁ ଆମେ ହାଲୁକାରେ ନେବୁ ନାହିଁ।

କୋହଲି କହିଛନ୍ତି ଯେ, ଇନ୍ଦୋରରେ ୨୦୧୬ରେ ହୋଇଥିବା ପ୍ରଥମ ଟେଷ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା, ମାତ୍ର ବାକି ଷ୍ଟାଡ଼ିୟମକୁ କମ୍ ଦର୍ଶକ ଆସନ୍ତି। ଟେଷ୍ଟ କ୍ରିକେଟକୁ ସବୁଠୁ ଉପରେ ରଖିବା ଲାଗି ମୋର ଏହା ବିଚାରରେ ଯେ ଦେଶରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍। ନିକଟରେ ସେ କହିଥିଲେ ଯେ, ଦେଶରେ ଅତି କମରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍, ଯଦ୍ଵାରା ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ଆସିବାକୁ ପ୍ରେରିତ କରାଯାଇ ପାରିବ। 

ଭାରତୀୟ ଟିମ: ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ରବୀନ୍ଦ୍ର ଜାଦେଜା, ଋଦ୍ଧିମାନ ଶାହା (ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି, ଈଶାନ୍ତ ଶର୍ମା । 

ବାଂଲାଦେଶ ଟିମ: ଇମରୁଲ କାୟେସ, ଶଦମାନ ଇସଲାମ, ମହମ୍ମଦ ମିଥୁନ, ମୋମିନୁଲ ହକ (ଅଧିନାୟକ), ମୁସଫିକର ରହିମ, ମହମ୍ମଦୁଲ୍ଲା, ଲିଟନ ଦାସ (ୱିକେଟକିପର), ମେହନ୍ଦି ହାସନ, ତଇଜୁଲ ଇସଲାମ, ଆବୁ ଜୟେଦ, ଇବଟ ହୁସେନ

 


 

  • Tags: