Home > କ୍ରୀଡ଼ା
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ୨୩୫ ରନରେ ଅଲଆଉଟ, ଭାରତର ଦ୍ୱିତୀୟ ପାଳି ଜାରି
Khabar Odisha:Sports-cricket-New-Zealand-all-out-at-235-runs-trailed-by-7-runs-Indias-second-innings-start

ଖ୍ରୀଷ୍ଟଚର୍ଚ୍ଚ, ମାର୍ଚ୍ଚ ୦୧(ଖବର ଓଡ଼ିଶା): ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଦିନରେ ରବିବାର ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି । ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ଶିକାର ହୋଇଛନ୍ତି । ଫଳରେ ଭାରତ ପ୍ରଥମ ପାଳି ଆଧାରରେ ନ୍ୟୁଜିଲାଣ୍ଡ ଠାରୁ ୭ ରନରେ ଅଗ୍ରଣୀ ଅଛି । ଭାରତର ଦ୍ୱିତୀୟ ପାଳି ଆରମ୍ଭ ହୋଇଯାଇଛି । 

ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ୪ଟି ୱିକେଟ ନେଇଥିଲେ । ଯଶପ୍ରୀତ ବୁମାର ୩ଟି ୱିକେଟ ନେଇଥିଲା ବେଳେ ସ୍ପିନର ରବୀନ୍ଦ୍ର ଜାଦେଜାଙ୍କୁ ୨ଟି ଓ ଉମେଶ ଯାଦବଙ୍କୁ ଗୋଟିଏ ୱିକେଟ ମିଳିଥିଲା । 

ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଓଭାଲ ପଡ଼ିଆରେ ନ୍ୟୁଜିଲାଣ୍ଡ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା । ମାତ୍ର କୋହଲି ବାହିନୀର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଟିମ ୨୪୨ ରନରେ ଅଟକି ଯାଇଥିଲା । 

ନ୍ୟୁଜିଲାଣ୍ଡର ଓପନର ଟମ ଲାଥମ ୫୨ ରନ ସଂଗ୍ରହ କରିଥିଲେ । ସେ ୧୨୨ଟି ବଲ ଖେଳି ୫ଟି ଚୌକା ସହାୟତାରେ ଏହା ହାସଲ କରିଥିଲେ । ମହମ୍ମଦ ସାମିଙ୍କ ଦ୍ୱାରା ବୋଲରେ ସେ ପାଭଲିଅନ ଫେରିଯାଇଥିଲେ । ଅନ୍ୟତମ ଓପନର ଟମ ବ୍ଲଣ୍ଡେଲ ୭୭ଟି ବଲ ସମ୍ମୁଖୀନ ହୋଇ ୩୦ ରନ କରିଥିଲେ । ସେ ଉମେଶ ଯାଦବଙ୍କ ଦ୍ୱାରା ଆଉଟ ହେବା ପରେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଅଧିନାୟକ କେନ ୱିଲିୟମସନ । ଦଳର ମାଇଲ ଖୁଣ୍ଟ କୁହାଯାଉଥିବା ୱିଲିୟମସନ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲେ । ସେ ୩ଟି ବଲର ସମ୍ମୁଖୀନ ହୋଇ ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କ ଦ୍ୱାରା ଆଉଟ ହୋଇଥିଲେ । 

ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ବ୍ୟାଟ କାମ କରି ନଥିଲା । ସେ ୩୭ଟି ବଲ ଖେଳି ଦଳ ପାଇଁ ମାତ୍ର ୧୫ ରନ ଯୋଡ଼ିଥିଲେ । ମଧ୍ୟକ୍ରମର ଅନ୍ୟତମ ବ୍ୟାଟ୍ସମ୍ୟାନ ହେନରୀ ନିକୋଲାସ ମଧ୍ୟ ପ୍ରଶଂସକଙ୍କୁ ସନ୍ତୁଷ୍ଟ କରିପାରି ନଥିଲେ । ମହମ୍ମଦ ସାମୀଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ଆଉଟ ହେବା ପୂର୍ବରୁ ସେ ୨୭ଟି ବଲ ଖେଳି ୧୪ ରନ ସଂଗ୍ରହ କରିଥିଲେ । କୋଲିନ ଡି ଗ୍ରାଣ୍ଡହୋମ ୨୬ ରନ ଦଳ ପାଇଁ ଯୋଡ଼ି ଥିବା ବେଳେ କାଏଲ ଜେମିସନ ୪୯ ରନ ସଂଗ୍ରହ କରିଥିଲେ ।  

  • Tags: