Home > କ୍ରୀଡ଼ା
ବିରାଟ କୋହଲି ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ: ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ
Khabar Odisha:Sports-cricket-Team-India-Captain-Virat-Kohli-is-world-class-batsman-says-Kieron-Pollard

ମୁମ୍ବାଇ, ଡିସେମ୍ବର ୧୨ (ଖବର ଓଡ଼ିଶା): ତୃତୀୟ ତଥା ଅନ୍ତିମ ଟି-୨୦ରେ ବୁଧବାର ଭାରତ ଠାରୁ ୬୭ ରନରେ ପରାସ୍ତ ହେବା ପରେ ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ କହିଛନ୍ତି, ଅଧିନାୟକ ବିରାଟ କୋହଲି ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ । ତାଙ୍କର ନେତୃତ୍ୱରେ ଭାରତୀୟ ଟିମ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଭଲ ପ୍ରଦର୍ଶନ କରିଛି । ଫଳରେ ଶୃଙ୍ଖଳାର ଶେଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । 

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟସ ଜଣି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । କୋହଲିଙ୍କ ଟିମ ମାତ୍ର ୩ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୪୦ ରନ କରିଥିଲା । ଓପନର ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜକୁ ଭାରତ ୨୪୧ ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୮ ୱିକେଟ ହରାଇ ୧୭୩ ରନ କରିବା ସହିତ ମ୍ୟାଚ ଓ ଶୃଙ୍ଖଳା ହାରିଥିଲା । 

ପୋଲାର୍ଡ କହିଛନ୍ତି, ଆମେ ମ୍ୟାଚ ଜିତିବା ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା କରି ନ ଥିଲୁ । ପୁଣି ଥରେ କହିରଖୁଛି ଯେ, କୋହଲି ଜଣେ କ୍ଲାସ ବ୍ୟାଟ୍ସମ୍ୟାନ । ତାଙ୍କର ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଭଲ ଖେଳିଛନ୍ତି । ସେଥିପାଇଁ ସେମାନେ ମ୍ୟାଚ ଓ ଶୃଙ୍ଖଳା ଜିତିପାରିଛନ୍ତି ବୋଲି ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି । ପୋଲାର୍ଡ ୬୮ ରନ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ବିଜୟ ଆଡ଼କୁ ଅଗ୍ରସର କରାଉଥିଲେ । ମାତ୍ର ସେ ଆଉଟ ହୋଇ ପାଭଲିଅନ ଫେରିଆସିବା ପରେ ଦଳର ଅନ୍ୟ ଖେଳାଳିମାନେ ଏହି କାମ କରିବାରେ ବିଫଳ ହୋଇଥିଲେ । ସେ ୧୦୦୦ ରନ କ୍ଲବରେ ମଧ୍ୟ ସାମିଲ ହୋଇପାରିଛନ୍ତି । ସେ କହିଛନ୍ତି ଯେ, ୨୪୦ ରନ ବଡ଼ କଥା ନୁହେଁ କିନ୍ତୁ ଆମର ଦଳ ଏହାକୁ ମୁକାବିଲା କରିବା ପାଇଁ ଯୋଜନା କରି ନଥିଲା । 

 

  • Tags: