Home > କ୍ରୀଡ଼ା
ସଚିନ ତେନ୍ଦୁଲକରଙ୍କ ଶାରଜା ରେକର୍ଡ ଜାଣନ୍ତୁ, ସେତେବେଳେ ସେ କେତେ ବର୍ଷର ଥିଲେ?
Khabar Odisha:Sports-cricket-Today-in-history-Sachin-Tendulkar-hits-his-4th-century-against-Sri-Lanka-in-Asia-Cup-on-April-9

ନୂଆଦିଲ୍ଲୀ, ଏପ୍ରିଲ ୦୯ (ଖବର ଓଡ଼ିଶା): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମହାନତା ଯେତେ ଆଲୋଚନା କଲେ ମଧ୍ୟ କମ ପଡ଼ିଯାଇଥାଏ । ଶତକ ହାସଲ କ୍ଷେତ୍ରରେ ସେ ବିଶ୍ୱର ଅନ୍ୟ ଖେଳାଳିଙ୍କ ଠାରୁ ବହୁ ଆଗରେ । କେହି କେହି ତାଙ୍କୁ ‘ଶତକ ତେନ୍ଦୁଲକର’ କହିଥାନ୍ତି । ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୦ ଶତକ ହାସଲ କରିଛନ୍ତି । ତାଙ୍କ ଦ୍ୱାରା ହାସଲ କରାଯାଇଥିବା ଶତକକୁ ନେଇ ଏକ କାହାଣୀ ମଧ୍ୟ ପ୍ରସ୍ତୁତ ହୋଇପାରିବ । ସଚିନଙ୍କ ଅନେକଗୁଡ଼ିଏ ଶତକ ଭାରତୀୟ ଟିମକୁ ମ୍ୟାଚ ବିଜୟୀ କରାଇଥିଲା । ସଚିନ ଯେତେବେଳ ପର୍ଯ୍ୟନ୍ତ ପଡ଼ିଆରେ ଉପସ୍ଥିତ ରହୁଥିଲେ, ଭାରତର ବିଜୟ ଆଶା ରହୁଥିଲା । ସେ ହାଉଟ ହୋଇଯିବା ପରେ ତାଙ୍କର ପ୍ରଶଂସକମାନେ ଟିଭି ମଧ୍ୟ ବନ୍ଦ କରି ଦେଉଥିଲେ । 

ଆଜକୁ ୨୫ ବର୍ଷ ତଳର କଥା । ଶାରଜାର ପଡ଼ିଆରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ଟୁର୍ଣ୍ଣାମେଣ୍ଟର ୫ମ ମ୍ୟାଚ ଜାରି ଥିଲା । ଶ୍ରୀଲଙ୍କାର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଟିମ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୦୨ ରନ କରିଥିଲା । ଏହା ପରେ ଜବାବରେ ଭାରତର ତରଫରୁୁ ମନୋଜ ପ୍ରଭାକର ଓ ସଚିନ ତେନ୍ଦୁଲକର ଇନିଂସ ଆରମ୍ଭ କରିଥିଲେ । ସଚିନ ବିସ୍ଫୋରକ ବ୍ୟାଟିଂ କରି ୧୦୭ଟି ବଲ ଖେଳି ୧୧୨ ରନ ଯୋଡ଼ିଥିଲେ । ଏଥିରେ ଗୋଟିଏ ଛକା ଓ ୧୫ଟି ଚୌକା ସାମିଲ ଥିଲା । ସେଦିନ ସଚିନ ଅପରାଜିତ ଥିଲେ । ଭାରତ ଏହି ଏସିଆ କପ ଟୁର୍ଣ୍ଣାମେଣ୍ଟକୁ କିଛି ଦିନ ପରେ ବିଜୟୀ ହୋଇଥିଲା । 

ଟୁର୍ଣ୍ଣାମେଣ୍ଟର ୫ମ ମ୍ୟାଚକୁ ଭାରତ ୮ଟି ୱିକେଟରେ ବିଜୟୀ ହୋଇଥିଲା । ସଚିନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ଏହା ଥିଲା ତାଙ୍କ କ୍ୟାରିୟରର ୪ର୍ଥ ଓ ଶାରଜାରେ ୪ର୍ଥ ଶତକ । ସେହି ସମୟରେ ସଚିନ ତେନ୍ଦୁଲକର ୨୨ ବର୍ଷ ବୟସ୍କ ମଧ୍ୟ ହୋଇ ନଥିଲେ । କିନ୍ତୁ କମ ବୟସରେ ସେ ପ୍ରମାଣିତ କରିଥିଲେ ଯେ, କେମିତି ବିସ୍ଫୋରକ ବ୍ୟାଟିଂ କରାଯାଇ ପାରିବ । 

 

  • Tags: