Home > କ୍ରୀଡ଼ା
କୋହଲିଙ୍କ ଶତକ ଓ ଆୟରଙ୍କ ଅର୍ଦ୍ଧଶତକ, ଇଣ୍ଡିଜକୁ ୨୮୦ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
Khabar Odisha:Sports-cricket-odisha-india-gave-280-runs-target-to-westindies
ପୋର୍ଟ ଅପ ସ୍ପେନ, ଅଗଷ୍ଟ୧୧(ଖବର ଓଡ଼ିଶା):

 ଅଧିନାୟକ  ବିରାଟ କୋହଲିଙ୍କ ୪୨ତମ ଦିନିକିଆ ଶତକ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ  କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚରେ ଆୟୋଜକ ଓ୍ଵେଷ୍ଟଇଣ୍ଡିଜକୁ ୨୮୦ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବିରାଟଙ୍କ ୧୨୦ ଓ ଅୟାରଙ୍କ ୭୧ ରନ ଏବଂ ଦୁହିଁଙ୍କ ମଧ୍ୟରେ ଚତୁର୍ଥ ଓ୍ଵିକେଟରେ ଶତକୀୟ ଭାଗିଦାରୀ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟରେ ହରାଇ ୨୭୯ ରନ କରିଛି। 

ଟସ୍ ଜିତି ପ୍ରଥମେ  ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଆଶାଜନକ ନଥିଲା। ଦଳ ମାତ୍ର ୨ ରନ ସ୍କୋରରେ ଶିଖର ଧାଓ୍ଵନ(୨)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ରୋହିତ ଶର୍ମା ଓ ଅଧିନାୟକ କୋହଲି ଦଳର ବ୍ୟାଟିଂ ଭାର ସମ୍ଭାଳି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୭୪ ରନ ଯୋଡ଼ିଥିଲେ। ୭୬ ରନ ସ୍କୋରରେ ରୋହିତ ଶର୍ମା(୧୮) ପାଭିଲିୟନ ଫେରିଥିଲେ। 

ଏହା ପରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ ଋଷଭ ପନ୍ତ। ସେ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ ଏବଂ ଦଳୀୟ ସ୍କୋର ୧୦୧ରନରେ ବ୍ୟକ୍ତିଗତ ୨୦ ରନ କରି ଆଉଟ୍ ହୋଇଥିଲେ। ୧୦୧ ରନରେ ୩ ଓ୍ଵିକେଟ୍  ହରାଇ ଅଡ଼ୁଆରେ ପଡ଼ିଥିବା ଭାରତର ଇନିଂସକୁ ସମ୍ଭାଳିଥିଲେ କୋହଲି ଓ ଶ୍ରେୟସ ଆୟର। ଏହା ମଧ୍ୟରେ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ।

ଉଭୟ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। କୋହଲି କ୍ୟାରିୟରର ୪୨ ତମ ଶତକ ହାସଲ କରିଥିଲେ।  କୋହଲି ଓ ଆୟର ଚତୁର୍ଥ ଓ୍ଵିକେଟ୍ ପାଇଁ ୧୨୫ ରନ ଯୋଡି ଦଳର ସ୍କୋରକୁ ୨୦୦ କରାଇଥିଲେ। ୨୨୫ ରନ ସ୍କୋରରେ କୋହଲି ବଡ ସର୍ଟ ଖେଳିବା ଚେଷ୍ଟା କରି ପାଭିଲିୟନ ଫେରିଥିଲେ। କୋହଲି ୧୨୫ ବଲରୁ ୧୪ ଚୌକା ଓ ୧ ଛକା ବଳରେ ୧୨୦ ରନର ମାରାଥନ ପାଳି ଖେଳିଥିଲେ। ଏହା ପରେ ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମି ଥିବା ଶ୍ରେୟସ ଆୟର ୨୫୦ ରନ ସ୍କୋରରେ ଜାସନ ହୋଲଡରଙ୍କ ବଲରେ ଆଉଟ୍ ହୋଇଥିଲେ। ଆୟର ୬୮ ବଲରୁ ୫ ଚୌକା ଓ ୧ ଛକା ଜରିଆରେ ଦ୍ରୁତ ୭୧ ରନର ଦମଦାର ପାଳି ଖେଳିଥିଲେ।

ଏହା ପରେ ଭାରତ କେଦାର ଯାଦବ(୧୬), ଭୁବନେଶ୍ଵର କୁମାର(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଶେଷରେ ଭାରତ  ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୯ ରନର ସ୍କୋର କରିଛି। ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୧୬ ରନ ଓ ମହମ୍ମଦ ସାମି ୩ ରନ କରି ଅପରାଜିତ ଥିଲେ। 

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ସଫଳ ବୋଲର ଭାବେ କାର୍ଲୋସ ବ୍ରେଥଓ୍ଵେଟ୍ ୩  ସଫଳତା ପାଇଛନ୍ତି। ତାଙ୍କ ବ୍ୟତୀତ ସେଲଡନ କଟ୍ରେଲ,  ଜାସନ ହୋଲଡର ଓ ରୋଷ୍ଟନ ଚେଜ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।