Home > କ୍ରୀଡ଼ା
କ୍ରିସ୍ ଗେଲଙ୍କୁ ବଡ ଝଟକା, ପଡିଆରେ କହିପାରିବେନି ଅଲବିଦା !
Khabar Odisha:Sports-cricket-odisha-india-vs-west-indies-west-indies-resist-sentimental-gayle-test-recall
ଗୁୟାନା, ଅଗଷ୍ଟ 10(ଖବର ଓଡିଶା):

ୱେଷ୍ଟଇଣ୍ଡିଜର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା କ୍ରିସ୍ ଗେଲଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି । ଆଇସିସି କ୍ରିକେଟ ବିଶ୍ୱକପ ସମୟରେ ଗେଲ୍ ନିଜର ଅବସର ଘୋଷଣା ବିଷୟରେ ସୂଚନା ଦେଇଥିଲେ । ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଭାରତୀୟ ଦଳ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ ପରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ।

ଭାରତୀୟ ଦଳ 3-0ରେ ଟି-20 ସିରିଜ ହାସଲ କରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ଆରମ୍ଭ କରିସାରିଛି । ଏହାପରେ ବିରାଟ ବାହିନୀର ଟାର୍ଗେଟ ହେଉଛି ଦିନିକିଆ ସିରିଜ । ଯଦିଓ ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଛି, କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତି ଦିନିକିଆ ଶୃଙ୍ଖଳା ମଧ୍ୟ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଟି-20 ସିରିଜରେ କ୍ରିସେ ଗେଲ ୱେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇନଥିବା ବେଳେ ଦିନିକିଆ ଦଳରେ ତାଙ୍କୁ ସାମିଲ କରାଯାଇଛି । କିନ୍ତୁ ପ୍ରଥମ ମ୍ୟାଚରେ ଗେଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ଏବଂ ନିଜ କ୍ୟାରିୟରର ସବୁଠାରୁ ଧିମା ଇନିଂସ ଖେଳି ସେ ଆଉଟ ହୋଇଥିଲେ । ସେ 31 ବଲରେ ମାତ୍ର 4 ରନ ହିଁ କରିଥିଲେ । ଏହି ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ, କ୍ରିସ୍ ଗେଲ ୱେଷ୍ଟଇଣ୍ଡଜ ଦଳ ପାଇଁ 103ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି । ସେ ତାଙ୍କର ଅନ୍ତିମ ଟେଷ୍ଟ ସେପ୍ଟେମ୍ୱର 2014ରେ ଖେଳିଥିଲେ । ବିଶ୍ୱକପ ସମୟରେ ସେ ସଙ୍କେତ ଦେଇଥିଲେ ଯେ, ସେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ ଖେଳି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାକୁ ଚାହୁଁଛନ୍ତି । କିନ୍ତୁ ଏବେ ଚୟନକର୍ତ୍ତାମାନେ ଗେଲଙ୍କ ଭାବନାତ୍ମକ ବିଦାୟୀକୁ ଦଳ ଚୟନ ସମୟରେ ଭାବି ନାହାନ୍ତି ଏବଂ ୱେଷ୍ଟଇଣ୍ଡିଜର ଟେଷ୍ଟ ଦଳରେ ତାଙ୍କୁ ସାମିଲ କରାଯାଇନାହିଁ । ଏମିତିରେ ଗେଲଙ୍କ ଆଶା ଆଶାରେ ରହିଗଲା ଭଳି ଲାଗୁଛି ।

ସୂଚନାଯୋଗ୍ୟ ଯେ, କ୍ରିସ ଗେଲ 103ଟି ଟେଷ୍ଟରୁ 7214 ରନ କରିଛନ୍ତି । ଟେଷ୍ଟରେ ତାଙ୍କର ସର୍ବାଧିକ ରନ ହେଉଛି 333 ରନ । ଗେଲଙ୍କୁ ଟେଷ୍ଟ ଦଳରେ ସାମିଲ ନକରିବା ଏଥିପାଇଁ ବଡ ଝଟକା ବୋଲି କୁହାଯାଉଛି, କାରଣ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟି ମ୍ୟାଚ ଗେଲଙ୍କ ହୋମ୍ ଗ୍ରାଉଣ୍ଡ ଜମୈକାର ସବୀନା ପାର୍କଠାରେ ଖେଳାଯିବ ।

ୱେଷ୍ଟଇଣ୍ଡଜ ଟେଷ୍ଟ ଦଳ : ଜେସନ ହୋଲ୍ଡର(ଅଧିନାୟକ), କ୍ରେଗ ବ୍ରେଥୱେଟ, ଡ୍ୟାରେନ ବ୍ରାଭୋ, ଶାମାରାହ ବ୍ରୂକ୍ସ, ଜନ କୈପୱେଲ, ରୋଷ୍ଟନ ଚେଜ୍, ରହକିମ୍ କାର୍ଣ୍ଣୱାଲ, ଶେନ ଡାଉରିଚ, ଶୈନନ ଗାବ୍ରିଏଲ, ଶିମରନ ହେଟମାୟର, ଶାଇ ହୋପ୍, କିମୋ ପଲ୍, କୀମାର ରୋଚ୍

  • Tags: