Home > କ୍ରୀଡ଼ା
ଏକ ନମ୍ବର ଲଢେଇରେ ଢେର ଆଗକୁ ଚାଲିଗଲେ ସ୍ମିଥ୍, ଅନେକ ପଏଣ୍ଟ ପଛରେ କୋହଲି
Khabar Odisha:sport-cricket-odisha-icc-test-ranking-steve-smith-virat-kohli-points-rating-test-batsman-ranking
ମୁମ୍ବାଇ,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

 ଆଇସିସି ମାନ୍ୟତାରେ ନମ୍ବର ଓ୍ଵାନ ବ୍ୟାଟସନମ୍ୟାନ ଲଢେଇରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବ୍ୟବଧାନ ଅଧିକ ବଢି ଯାଇଛ। ସ୍ମିଥ କୋହଲିଙ୍କଠୁ ଢେର ଆଗରେ ଅଛନ୍ତି। ମାଞ୍ଚେଷ୍ଟରରେ ସମାପ୍ତ ଚତୁର୍ଥ ଆସେସ୍ ଟେଷ୍ଟ ମ୍ୟାଚରେ ୨୧୧ ଓ ୮୨ ରନର ଇନିଂସ ଖେଳିଥିବା ସ୍ମିଥଙ୍କ ପଏଣ୍ଟ ୯୩୭ରେ ପହଞ୍ଚିଛନ୍ତି, ଯାହା ତାଙ୍କର ସର୍ବଶ୍ରେଷ୍ଠ ପଏଣ୍ଟଠୁ ୧୦ ପଏଣ୍ଟ ପଛରେ ରହିଛି। ଏହା ସହିତ ସେ ନିଜର ଶୀର୍ଷ ସ୍ଥାନକୁ ଅଧିକ ମଜବୁତ କରି ପାରିଛନ୍ତି।

ସ୍ମିଥ୍ ଓ କୋହଲିଙ୍କ ମଧ୍ୟରେ ଗତ ସପ୍ତାହରେ ମାତ୍ର ଏକ ପଏଣ୍ଟର ବ୍ୟବଧାନ ଥିଲା, ମାତ୍ର ଏବେ ଏହା ବଢି ୩୪ ପଏଣ୍ଟରେ ପହଞ୍ଚିଛି। ସ୍ମିଥ ୯୩୭ ପଏଣ୍ଟ ସହ  ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଏକ ନମ୍ବରରେ ଥିବା ବେଳେ କୋହଲି ୯୦୩ ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। 

ଉଲ୍ଲେଖଯୋଗ୍ୟ, ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ୧୩୬ ରନ କରିବାକୁ ସକ୍ଷମ  ହୋଇଥିଲେ। ଆଣ୍ଟିଗୁଆ ଟେଷ୍ଟରେ କୋହଲି ୯ ଓ ୫୧ ରନର ଇନିଂସ ଖେଳିଥିବା ବେଳେ ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୭୬ ଓ ଦ୍ଵିତୀୟରେ ୦ ରନ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଅଧିନାୟକ ଭାବେ ତାଙ୍କର ପ୍ରଦର୍ଶନ ଦମଦାର ଥିଲେ ମଧ୍ୟ ବ୍ୟାଟସମ୍ୟାନ ଭାବେ ସେ ବିଫଳ ହୋଇଥିଲେ। 

ବଲ ଟାମ୍ପରିଂ ମାମଲାରେ ଗୋଟିଏ ବର୍ଷର ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ କରିଥିବା ସ୍ମିଥ ଏବେ କୋହଲିଙ୍କଠୁ ଏକ ନମ୍ବର ସ୍ଥାନ ଛଡ଼ାଇ ନେଇଛନ୍ତି। ଅନ୍ୟ ପଟେ ମାଞ୍ଚେଷ୍ଟର ଟେଷ୍ଟରେ ସାତ ଓ୍ଵିକେଟ୍ ନେଇଥିବା ପାଟ କମିନ୍ସ ବୋଲିଂ ମାନ୍ୟତାରେ ଶୀର୍ଷରେ ନିଜର ସ୍ଥାନକୁ ମଜବୁତ କରିଛନ୍ତି। କମିନ୍ସ ୯୧୪ ପଏଣ୍ଟ ହାସଲ କରିଛନ୍ତି, ଯାହା ୨୦୦୧ରେ ଗ୍ଲେନ ମ୍ୟାକଗ୍ରା ଦ୍ଵାରା ହାସଲ ହୋଇଥିବା ପଏଣ୍ଟ ସହ ସମାନ। 

ଦ୍ଵିତୀୟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା। ସେ କମିନ୍ସଙ୍କଠୁ ୬୩ ପଏଣ୍ଟ ପଛରେ ଅଛନ୍ତି। ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ତୃତୀୟ ସ୍ଥାନରେ ଅଛନ୍ତି। ୧୨ମ ସ୍ଥାନରୁ ୧୦ମ ସ୍ଥାନରେ ପହଞ୍ଚିଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ହେଜଲଉଡ ଚଳିତ ବର୍ଷ ପ୍ରଥମ ଥର ଶୀର୍ଷ ୧୦ରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।