Home > କ୍ରୀଡ଼ା
କୋହଲିଙ୍କ ଦମଦାର ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ୭ ଓ୍ଵିକେଟରେ ହରାଇଲା ଭାରତ
Khabar Odisha:sport-cricket-odisha-india-won-by-7-wicket-against-south-africa-at-mohali-t-20
ମୋହାଲି,ସେପ୍ଟେମ୍ବର୧୮(ଖବର ଓଡ଼ିଶା):

ଦକ୍ଷିଣ ଆଫ୍ରିକାର ଅଧିନାୟକ କ୍ଵିଣ୍ଟନ ଡିକକଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡ଼ିଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ। ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ଵିଣ୍ଟନ ଡିକଙ୍କ ୫୨ ଓ ତେମ୍ବା ବାଭୁମାଙ୍କ ୪୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ଭାରତ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଯାହାକୁ ଭାରତ ଅଧିନାୟକ କୋହଲିଙ୍କ ଅପରାଜିତ ୭୨ ଓ ଶିଖର ଧାଓ୍ଵନଙ୍କ ୪୦ ରନ ବଳରେ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା କୋହଲି ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ୩.୫ ଓଭରରେ ଦ୍ରୁତ ୩୩ ରନ ଯୋଡ଼ିଥିଲେ। ଏହି ସ୍କୋରରେ ଭାରତ ରୋହିତ ଶର୍ମାଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ରୋହିତ ୧୨ ରନ ଫେଲୁକ୍ଵାୟଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଓ ଶିଖର ଧାଓ୍ଵନ ଦ୍ଵିତୀୟ ଓ୍ଵିକେଟରେ ଅର୍ଦ୍ଧଶତକୀୟ ଭାଗିଦାରୀ କରି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ୯୪ ରନ ସ୍କୋରରେ ଶିଖର ବ୍ୟକ୍ତିଗତ ୪୦ ରନ(୩୧ ବଲ, ୪ ଚୌକା, ୧ ଛକା) ବିଦାୟ ନେଇଥିଲେ। ଏହା ପୂର୍ବରୁ ସେ ୪୭ ବଲରୁ କୋହଲିଙ୍କ ସହିତ ୬୧ ରନ ଯୋଡ଼ିଥିଲେ। 

ଶିଖରଙ୍କ ପରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ପନ୍ତ ପୁଣି ଥରେ ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିଲେ। ୧୦୪ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଭାରତ ବାକି ଔପଚାରିକା ପୂରଣ କରିଥିଲେ କୋହଲି ଓ ଶ୍ରେୟସ ଆୟର। ଏହା ମଧ୍ୟରେ କୋହଲି ଟି-୨୦ କ୍ୟାରିୟରରେ ୨୨ତମ ଅର୍ଦ୍ଧଶତକ ପୂରଣ କରିଥିଲେ। କୋହଲି ଓ ଆୟର ଅସମାପ୍ତ ଚତୁର୍ଥ ଓ୍ଵିକେଟରେ ୪୭ ରନ ଯୋଡି ଭାରତକୁ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ କରାଇଥିଲେ। ଆୟର ୧୯ତମ ଓଭରର ଶେଷ ବଲରେ ବିଜୟ ସୂଚକ ଚୌକା ମାରିଥିଲେ। କୋହଲି  ୫୨ ବଲରୁ ୪ ଚୌକା ଓ ୩ ଛକା ଜରିଆରେ ୭୨ ରନ ଓ ଆୟର ୧୬ ରନ କରି ଅପରାଜିତ ଥିଲେ। 

ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲେ ପେହଲୁକ୍ଵାୟୋ, ତରବିଜ୍ ସମ୍ଫି, ବିଜର୍ଣ୍ଣ ଫର୍ଚ୍ୟୁନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।