Home > କ୍ରୀଡ଼ା
ପୁଣି ଗର୍ଜିଲେ ରୋହିତ, ଭାରତର ସ୍ଥିତି ମଜବୁତ
Khabar Odisha:sports--cricket--odisha--South-Africa-need-384-runs
ବିଶାଖାପାଟଣା, ଅକ୍ଟୋବର୦୫(ଖବର ଓଡ଼ିଶା):

 ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ କ୍ରମାଗତ ଦ୍ଵିତୀୟ ଶତକ(୧୨୭ ରନ) ଓ ଚେତେଶ୍ଵର ପୂଜାରା(୮୧ ରନ)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟ୍ ବିନିମୟରେ ୩୨୩ ରନରେ ପାଳି ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୯୫ ରନର ବିଜୟ ଲକ୍ଷ୍ୟ ରଖିଛି। ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୧୧ ରନ କରିଛି। ଖେଳର ପଞ୍ଚମ ତଥା ଅନ୍ତିମ ଦିନରେ ୯ଟି ଓ୍ଵିକେଟ୍ ହାଥରେ ଥାଇ ଭ୍ରମଣକାରୀ ଦଳକୁ ଜିତିବା ପାଇଁ ୩୮୪ ରନ ଦରକାର। ଆଡନ ମାରକ୍ରମ ୩ ଓ ଥେୟୁନିସ୍ ବ୍ରୁନ ୫ ରନ କରି ଖେଳୁଛନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଇନିଂସରେ ୪୩୧ ରନରେ ଅଲଆଉଟ୍ ହୋଇଥିଲା। ଭାରତକୁ ୭୧ ରନ ଅଗ୍ରଣୀ ହାସଲ ମିଳିଥିଲା। 

ତୃତୀୟ ଦିନର ଅସମାପ୍ତ ଖେଳ ୩୮୫/୮ରୁ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ସେସନରେ ରବି ଚନ୍ଦ୍ରନ ଅଶ୍ଵିନ ଆହୁରି ୨ଟି ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକା ଇନିଂସକୁ ୪୩୧ରେ ସମାପ୍ତ  କରିଥିଲେ। ଅଶ୍ଵିନ କେଶବ ମହାରାଜ(୯) ଓ କାଗିସୋ ରାବଡ଼ା(୧୫)ଙ୍କୁ ଆଉଟ୍ କରି ବ୍ୟକ୍ତିଗତ ସପ୍ତମ ସଫଳତା  ହାସଲ କରିଥିଲେ। 

୭୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦଳକୁ  ୨୧ ରନରେ ପ୍ରଥମ ଝଟକା ମୟଙ୍କ ଅଗ୍ରଓ୍ଵାଲଙ୍କ ରୂପେ ଲାଗିଥିଲା। ପ୍ରଥମ ଇନିଂସରେ ଦ୍ଵିଶତକ ଅର୍ଜନ କରିଥିବା ଅଗ୍ରଓ୍ଵାଲ ୭ ରନରେ କେଶବ ମହାରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଚେତେଶ୍ଵର ପୂଜାରାଙ୍କ ସହିତ ଦଳର ସ୍କୋରକୁ ଆଗେଇ ନେଇଥିଲେ। ପ୍ରଥମ ଇନିଂସ ପରି ଦ୍ଵିତୀୟ ଇନିଂସରେ ବି ରୋହିତ ଦମଦାର ବ୍ୟାଟିଂ କରିଥିଲେ। କ୍ରିଜରେ ଟିକେ ଜମିବା ପରେ ଚେତେଶ୍ଵର ପୂଜାରା ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ସେ ରୋହିତଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ଦିନିକିଆ ଷ୍ଟାଇଲରେ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ଉଭୟ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ।

ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୯ ରନ ଯୋଡ଼ି ଦଳର ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ। ଅନେକ ଦିନ ପରେ ପୂଜାରା ଫର୍ମକୁ ଫେରି ୮୧ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏଥିରେ ୧୩ ଚୌକା ଓ ୧ ଛକା ସାମିଲ। ଏହା ପରେ ପ୍ରଥମ ଇନିଂସରେ ୧୭୬ ରନ କରିଥିବା ରୋହିତ ଦ୍ଵିତୀୟ ଇନିଂସରେ ଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୩୯ରେ ରୋହିତ ପାଭିଲିୟନ ଫେରିଥିଲେ। ଏହି ଶତକରେ ଜରିଆରେ ସେ ଅନେକ ରେକର୍ଡ ନିଜ ନାମରେ କରିଥିଲେ।  ୧୪୯ ବଲରୁ ରୋହିତ ୧୦ ଚୌକା ଓ ୭ ଛକା ଜରିଆରେ ୧୨୭ ରନର ଚମତ୍କାର ଇନିଂସ ଖେଳିଥିଲେ।  ୧୩ ଛକା ମାରି ଗୋଟିଏ ଟେଷ୍ଟରେ ସର୍ବାଧିକ ଛକା ମାରିବାରେ ଓ୍ଵାସିମ ଆକ୍ରମଙ୍କ ରେକର୍ଡ଼ ଭଙ୍ଗ କରିଥିଲେ। 

ରୋହିତଙ୍କ ଆଉଟ୍ ପରେ ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଦ୍ରୁତ ଗତିରେ ରନ କରିଥିଲେ। ଜାଡ଼େଡା ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡ଼ିଥିଲେ। ଜାଡ଼େଜା ୩୨ ବଲରୁ ୩ ଛକା ଜରିଆରେ ୪୦ ରନ କରିଥିଲେ। ଏହି କ୍ରମରେ ଭାରତ ୪ ଓ୍ଵିକେଟ୍ ବିନିମୟରେ  ୩୨୩ ରନ କରି ଦ୍ଵିତୀୟ ଇନିଂସ ଘୋଷଣା କରିଥିଲେ। କୋହଲି ୩୧ ଓ ରାହାଣେ ମାତ୍ର ୧୭ ବଲରୁ ୪ ଚୌକା ଓ ୧ ଛକା ବଳରେ ବିସ୍ଫୋରକ ୨୭ ରନ କରି ଅପରାଜିତ ଥିଲେ। 

ଏହା ପୂର୍ବରୁ ଭାରତ ରୋହିତ ଶର୍ମାଙ୍କ ୧୭୬ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ୨୧୫ ରନ ବଳରେ ପ୍ରଥମ ଇନିଂସରେ ୭ ଓ୍ଵିକେଟରେ ୫୦୧ ରନରେ ଇନିଂସ ଘୋଷଣା କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା  ଡିନ ଏଲଗରଙ୍କ ୧୬୦,  କ୍ଵିଣ୍ଟନ ଡିକକଙ୍କ ୧୧୧ ଓ ଅଧିନାୟକ ଡୁପ୍ଲେସିସଙ୍କ ୫୫ ବଳରେ ପ୍ରଥମ ଇନିଂସରେ ୪୩୧ ରନ କରିଥିଲେ।

ଭାରତ ପ୍ରଥମ ଇନିଂସ- ୫୦୨/୭ ଘୋଷଣା

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୪୩୧

ଭାରତ ଦ୍ଵିତୀୟ ଇନିଂସ- ୩୨୩/୪ ଘୋଷଣା