Home > କ୍ରୀଡ଼ା
ଓପନର ହେବା ମାତ୍ରେ ଟେଷ୍ଟରେ ଉପରକୁ ଉଠିଲେ ରୋହିତ, କ୍ଷତିରେ ବିରାଟ କୋହଲି
Khabar Odisha:sports--cricket--odisha--cricket-icc-test-rankings-rohit-sharma-36-place-jumps
ଦୁବାଇ,ଅକ୍ଟୋବର୦୭(ଖବର ଓଡ଼ିଶା):

ଓପନିଂ ବ୍ୟାଟସମ୍ୟାନ ଭାବେ ନିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟସମ୍ୟାନ ରୋହିତ ଶର୍ମା ସୋମବାର ଆଇସିସି ଦ୍ଵାରା  ଜାରି ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ କ୍ୟାରିୟରର ସର୍ବଶ୍ରେଷ୍ଠ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତଙ୍କ ନାମରେ ଟେଷ୍ଟରେ ୫ ଶତକ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟରେ ରୋହିତ ୧୭୬ ଓ ୧୨୭ ରନ ଦମଦାର ଇନିଂସ ବଳରେ ୩୬ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ମ୍ୟାଚରେ ଭାରତ ୨୦୩ ରନରେ ବିଜୟୀ ହୋଇଛି।

ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କୁ ପ୍ରଥମ ଇନିଂସରେ ଖେଳିଥିବା ଦ୍ଵିଶତକୀୟ ପାଳିର ଫାଇଦା ମିଳିଛି। ସେ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ୨୫ରେ ପହଞ୍ଚିଛନ୍ତି। ଅଧିନାୟକ ବିରାଟ କୋହଲି ତାଙ୍କର ଦ୍ଵିତୀୟ ସ୍ଥାନ ଜାରି ରଖିଛନ୍ତି, ମାତ୍ର ୨୦୧୮ ଜାନୁଆରୀ ପରେ ପ୍ରଥମ ଥର ତାଙ୍କର ପଏଣ୍ଟ ୯୦୦ ତଳକୁ ଖସି ଆସିଛି। ତାଙ୍କର ପଏଣ୍ଟ ୮୯୯ ରହିଛି ଯାହା ମାନ୍ୟତାର ଶୀର୍ଷରେ ଥିବା ଷ୍ଟିଭ ସ୍ମିଥଙ୍କଠୁ ୩୮ ପଏଣ୍ଟ ପଛରେ ରହିଛି। 

ଅଶ୍ଵିନ ଶୀର୍ଷ ୧୦ରେ ସାମିଲ

ବୋଲର ରବି ଚନ୍ଦ୍ରନ ଅଶ୍ଵିନ ମ୍ୟାଚରେ ୮ ଓ୍ଵିକେଟ୍ ନେବା ପରେ ଶୀର୍ଷ ୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ପ୍ରଥମ ଇନିଂସରେ ୧୪୫ ରନ ଦେଇ ୭ ସଫଳତା ପାଇଥିଲେ। ପୂର୍ବରୁ ଶୀର୍ଷରେ ରହିଥିବା ଅଶ୍ଵିନ ୧୪ତମ ସ୍ଥାନରୁ ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହା ସହିତ ସେ ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ପହଞ୍ଚିଛନ୍ତି। ଅନ୍ୟପଟେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ବାଂଲାଦେଶର ସାକିବ ଉଲ ହାସନଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ସାମି କ୍ୟାରିୟରର ସର୍ବଶ୍ରେଷ୍ଠ ୭୧୦ ପଏଣ୍ଟରେ ୧୮ରୁ ୧୬ତମ ସ୍ଥାନକୁ ଉଠିଛନ୍ତି। 

ଶୀର୍ଷରେ ଭାରତ

ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟରେ ୨୦୩ ରନରେ ପରାଜିତ କରିବା ପରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ୪୦ ପଏଣ୍ଟ  ହାସଲ କରିଛି। ଏହି ପଏଣ୍ଟ ସହ ଭାରତ ତିନୋଟି ମ୍ୟାଚରୁ ତିନୋଟି ବିଜୟ ସହିତ ମୋଟ୍ ୧୬୦ ପଏଣ୍ଟ ହାସଲ ଚମ୍ପିଆନସିପରେ ଶୀର୍ଷରେ ନିଜର ସ୍ଥାନ ଅଧିକ ମଜବୁତ କରିଛି। 

ଅନ୍ୟପଟେ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ଥିଲା, ଯେଉଁଥିରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ମାନ୍ୟତାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ୬୦-୬୦ ପଏଣ୍ଟ ସହିତ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଦୁଇ ଦଳ ଅଦ୍ୟାବଧି ଦୁଇ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬-୫୬ ପଏଣ୍ଟ ସହିତ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।