Home > କ୍ରୀଡ଼ା
୧୫୦ ରନରେ ବାଂଲାଦେଶ ଅଲଆଉଟ୍, ଭାରତର ସ୍ଥିତି ମଜବୁତ
Khabar Odisha:sports--cricket--odisha--ind-vs-ban-indore-test-day-1-highlights-and-reports
ଇନ୍ଦୋର, ନଭେମ୍ବର୧୪(ଖବର ଓଡ଼ିଶା):

ବୋଲରଙ୍କ ଦମରେ ଇନ୍ଦୋରର  ହୋଲକର କ୍ରିକେଟ୍ ଷ୍ଟାଡ଼ିୟମରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ନିଜର ସ୍ଥିତି ମଜବୁତ କରିଛି। ଭାରତୀୟ ବୋଲିଂ ବାହିନୀର ସାମ୍ନା କରିନପାରି ବାଂଲାଦେଶ ପ୍ରଥମ ଦିନରେ ୧୫୦ ରନରେ ଅଲଆଉଟ୍  ହୋଇଛି। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୮୬ ରନ କରିଛି। ଦଳ ରୋହିତ ଶର୍ମା(୧)ଙ୍କ ରୂପେ ଏକ ମାତ୍ର ଓ୍ଵିକେଟ୍ ହରାଇଛି। ଓପନର ମୟଙ୍କ ଅଗ୍ରଓ୍ଵାଲ(୩୭) ଓ ଚେତେଶ୍ଵର ପୂଜାରା(୪୩) କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ଵିନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଏହା ପୂର୍ବରୁ ସକାଳେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଏହି ନିଷ୍ପତ୍ତି ବାଂଲାଦେଶକୁ ଓଲଟା ପଡ଼ିଥିଲା। ଦିନର ପ୍ରଥମ ସେସନରେ ଦଳ ୩୧ ରନରେ ୩ ଓ୍ଵିକେଟ୍  ହରାଇ ବ୍ୟାଟିଂ ବିପର୍ୟ୍ୟ ୟର ସମ୍ମୁଖୀନ ହୋଇଥିଲା। ଦଳ ୧୨ ରନରେ ଓପନର ଇମରୁଲ କାଇସ(୬)ଙ୍କୁ ଇଶାନ୍ତ ଶର୍ମା ଓ  ସାଦମାନ ଇସଲାମ(୬)ଙ୍କୁ ଉମେଶ ଯାଦବ ଆଉଟ୍ କରି ଭାରତକୁ ଦୁଇଟି ସଫଳତା ଦେଇଥିଲେ। ଏହା ପରେ ୩୧ ରନ ସ୍କୋରରେ ମହମ୍ମଦ ମିଥୁନ(୧୩)ଙ୍କୁ ସାମି ଦଳକୁ ତୃତୀୟ ସଫଳତା ଦେଇଥିଲେ। 

ମମିନୁଲ ହକ୍ ଓ ମୁସଫିକୁର ରହିମଙ୍କୁ ବାଦ୍ ଦେଲେ ଦଳର ବାକି ବ୍ୟାଟସମ୍ୟାନ ଭାରତୀୟ ବୋଲିଂ ଆକ୍ରମଣରେ ତିଷ୍ଠି ପାରିନଥିଲେ। ମମିନୁଲ ହକ ୩୭ ରନ କରି ଅଶ୍ଵିନଙ୍କ ଶିକାର ହୋଇଥିଲେ। ସେହି ପରି ମୁସଫିକର ରହିମ ଦଳ ପକ୍ଷରୁ ସର୍ବାଧିକ ୪୩ ରନ କରି ସାମିଙ୍କ ବଲରେ ଆଉଟ୍ ହୋଇଥିଲେ। ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୫୦ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୨୭ ରନ ଦେଇ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ରବି ଚନ୍ଦ୍ରନ ଅଶ୍ଵିନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହି ମ୍ୟାଚରେ ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ନେବା ମାତ୍ରେ ଘରୋଇ ମାଟିରେ ୨୫୦ ଓ୍ଵିକେଟ୍ ପୂରଣ କରିବାରେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି। 

ଏହା ପରେ ଭାରତ ପ୍ରଥମ  ଇନିଂସ ଆରମ୍ଭ କରି ୧୪ ରନରେ ରୋହିତ ଶର୍ମା(୬)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ଵର ପୂଜାରା ଭାରତକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ। ମୟଙ୍କ ଅଗ୍ରଓ୍ଵାଲ ୩୭ ଓ ଚେତେଶ୍ଵର ପୂଜାରା ଦ୍ରୁତ ବ୍ୟାଟିଂ କରି ୪୩ ରନରେ ଅପରାଜିତ ଅଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୮୬ ରନ କରିଛି।