Home > କ୍ରୀଡ଼ା
ଭାରତ-ଦ. ଆଫ୍ରିକା ଦ୍ଵିତୀୟ ଟି-୨୦: ଧାଓ୍ଵନଙ୍କୁ ଦରକାର ୪୪ ରନ, ସାମିଲ ହେବେ ଏହି ଖାସ୍ ତାଲିକାରେ
Khabar Odisha:sports--cricket--odisha--ind-vs-sa-2nd-t20i-shikhar-dhawan-needs-44-runs-to-complete-7000-t20-runs
ମୋହାଲି,ସେପ୍ଟେମ୍ବର୧୮(ଖବର ଓଡ଼ିଶା):

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଭାରତୀୟ ଓପନର ଶିଖର ଧାଓ୍ଵନଙ୍କ ନଜର ଏକ ଖାସ୍ ତାଲିକାରେ ସାମିଲ ହେବା ଉପରେ ରହିବ। ଧାଓ୍ଵନ ଓଭରଅଲ ଟି-୨୦ କ୍ୟାରିୟରରେ ୭୦୦୦ ରନ ପୂରଣ ପାଇଁ ୪୪ ରନ ଦୂରରେ ଅଛନ୍ତି।

ଶିଖର ଯଦି ଏହି ରନ କରି ଦିଅନ୍ତି ତେବେ ଟି-୨୦ରେ ୭୦୦୦ ରନ କରିବାରେ ଚତୁର୍ଥ ଭାରତୀୟ ଏବଂ ଦୁନିଆର ୧୫ତମ ଖେଳାଳି ହେବେ। ଶିଖରଙ୍କ ନାମରେ ବର୍ତ୍ତମାନ ୨୪୬ ମ୍ୟାଚରୁ ମୋଟ୍ ୬୯୫୬ ରନ ରହିଛି। ଏଥିରେ ୫୩ ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ୧୩୩୭ ରନ ସାମିଲ। ତାଙ୍କର ବ୍ୟାଟିଂ  ହାର ୩୧.୯୦ ରହିଛି। ଏହି ଫର୍ମାଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୭ ରନ। ଟି-୨୦ କ୍ୟାରିୟରରେ ସେ ମୋଟ୍ ୫୩ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶିଖରଙ୍କ ପୂର୍ବରୁ ଟି-୨୦ରେ ୭୦୦୦ ରନ କିମ୍ବା ସେଥିରୁ ଅଧିକ ରନ କରିବା ଭାରତୀୟ ତାଲିକାରେ ଅଧିନାୟକ ବିରାଟ କୋହଲି, ସୁରେଶ ରୈନା ଓ ରୋହିତ ଶର୍ମା ସାମିଲ। ଭାରତୀୟ ବ୍ୟାଟସମ୍ୟାନ ଭାବେ ବିରାଟ ଟି-୨୦ରେ ସବୁଠୁ ଅଧିକ ରନ କରିଛନ୍ତି।  ସେ ୨୬୯ ମ୍ୟାଚରେ ୮୪୭୫ ରନ କରିଥିବା ବେଳେ ରୈନା ୩୧୯ ମ୍ୟାଚରୁ ୮୩୯୨ ରନ କରିଛନ୍ତି। ଭାରତୀୟ ଦଳର  ଉପଅଧିନାୟକ ରୋହିତ ଶର୍ମା ୩୧୬ ମ୍ୟାଚରେ ୮୨୯୧ ରନ କରିଛନ୍ତି। 

ଗେଲଙ୍କ ନାମରେ ରେକର୍ଡ

ଟି-୨୦ରେ ସବୁଠୁ ଅଧିକ ରନ କରିବା ମାମଲାରେ ବିଶ୍ଵ ରେକର୍ଡ ଓ୍ଵେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ରହିଛି। ସେ ୩୮୯ ମ୍ୟାଚରୁ ୩୯.୦୭ ହାରରେ ୧୩୦୧୩ ରନ କରିଛନ୍ତି। ତାଙ୍କ ନାମରେ ୨୨  ଶତକ ଓ ୮୦ ଅର୍ଦ୍ଧଶତକ ରହିଛି। ଦ୍ଵିତୀୟରେ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ। ସେ ୩୭୦ ମ୍ୟାଚରୁ ୯୯୨୨ ରନ କରିଛନ୍ତି। ତୃତୀୟରେ ଥିବା କିରଣ ପୋଲାର୍ଡ ୪୮୩ ମ୍ୟାଚରେ ୯୬୦୧ ରନ ଏବଂ ଚତୁର୍ଥରେ ଥିବା ଡେଭିଡ ଓ୍ଵାର୍ଣ୍ଣର ୨୭୧ ମ୍ୟାଚରେ ୮୮୦୩ ରନ କରିଛନ୍ତି।