Home > କ୍ରୀଡ଼ା
ଆଜି ନିର୍ଣ୍ଣାୟକ ମୁକାବିଲା: ହାଇସ୍କୋରିଂ ମ୍ୟାଚ୍ ହେବାର ଆଶା, ଦଳରେ ହୋଇପାରେ ଦୁଇଟି ପରିବର୍ତ୍ତନ
Khabar Odisha:sports--cricket--odisha--ind-vs-wi-3rd-t20i-at-mumbai-match-preview-and-stats
ମୁମ୍ବାଇ, ଡିସେମ୍ବର୧୧(ଖବର ଓଡ଼ିଶା):

 ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ଵାଇର ଓ୍ଵାଙ୍ଖେଡ଼ା ଷ୍ଟାଡ଼ିୟମରରେ ଆଜି ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମହତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ପ୍ରଥମ ମୁକାବିଲାକୁ ଭାରତ ଜିତିଥିବା ବେଳେ ଦ୍ଵିତୀୟ ମୁକାବିଲାରେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ଜିତିବା ପରେ ଶୃଙ୍ଖଳା ୧-୧ରେ ରହିଛି। ଫଳରେ ଅନ୍ତିମ ମୁକାବିଲା ଫାଇନାଲ ପରି ହୋଇଛି। 

ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ହାଇ ସ୍କୋରିଂ ଓ ରୋମାଞ୍ଚକର ହେବାର ଆଶା ରହିଛି। ଏଠାକାର ପିଚ୍ ବ୍ୟାଟିଂ ଅନୁକୂଳ ଏବଂ ବାଉଣ୍ଡରୀ ବହୁତ ଛୋଟ। ଓ୍ଵେଷ୍ଟଇଣ୍ଡିଜ ରବିବାର ଦ୍ଵିତୀୟ ଟି-୨୦ ମୁକାବିଲାକୁ ଯେଉଁ ଶୈଳୀରେ ଜିତିଛି ସେଥିରେ ଦଳର ମନୋବଳ ଉଚ୍ଚରେ ରହିଛି। ଦଳ ଶୃଙ୍ଖଳା ଜିତିବାର ସୁଯୋଗକୁ ହାତଛଡ଼ା କରିବ ନାହିଁ। 

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଖେଳୁଥିବା ଭାରତୀୟ ଦଳ ଉପରେ ଚାପ କିଛିଟା ରହିଛି। ଦଳ ଉପରେ ଘରୋଇ ଶୃଙ୍ଖଳା ହାରିବାର ବିପଦ ରହିଛି। ବିଶେଷ କରି ଦ୍ଵିତୀୟ ମ୍ୟାଚରେ ଭ୍ରମଣକାରୀ ଦଳର ବ୍ୟାଟସମ୍ୟାନ ଯେଉଁଭଳି ବ୍ୟାଟିଂ କଲେ ତାକୁ ଦେଖି ଲାଗୁଛି ଯେ, ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ତେବେ ଦଳକୁ ବଡ଼ ସ୍କୋର କରିବାକୁ ପଡ଼ିବ। ଏହା ସହିତ ଲକ୍ଷ୍ୟକୁ ବଞ୍ଚାଇବାର ଦାୟିତ୍ଵ ବୋଲରଙ୍କ ଉପରେ ରହିବ।

ଶୃଙ୍ଖଳାରେ ଭାରତର ଫିଲ୍ଡିଂ ସ୍ତର ନିମ୍ନମାନର ରହିଛି। ଭାରତୀୟ ଦଳ ଦୁଇଟି ମ୍ୟାଚରେ ଅତି କମରେ ୭ କ୍ୟାଚ୍ ଛାଡ଼ିଛନ୍ତି। ଏହି କ୍ୟାଚ୍ ଧରିଥିଲେ ହୁଏତ ଆଜି ଶୃଙ୍ଖଳାରେ ଦଳ ୨-୦ରେ ଅଗ୍ରଣୀ ରହିଥାନ୍ତା। ଅଧିନାୟକ ବିରାଟ କୋହଲି ମଧ୍ୟ ଦ୍ଵିତୀୟ ଟି-୨୦ ପରେ କହିଛନ୍ତି ଯେ, ଏହି ଧରଣର ଫିଲ୍ଡିଂ କଲେ ଆମେ କୌଣସି ଲକ୍ଷ୍ୟକୁ ମଧ୍ୟ ବଞ୍ଚାଇ ପାରିବୁ ନାହିଁ। 

ଦଳରେ ଦୁଇଟି ପରିବର୍ତ୍ତନ ସମ୍ଭବ

ତୃତୀୟ ମ୍ୟାଚରେ ବିଜୟ ହାସଲ  ଲାଗି ଭାରତୀୟ ଦଳରେ ଦୁଇଟି  ପରିବର୍ତ୍ତନ ହୋଇପାରେ। ସଂପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିଥିବା ଭୁବନେଶ୍ଵର କୁମାର ଲୟରେ ଥିବା ଦେଖିବାକୁ ମିଳିନାହିଁ ଏବଂ ମହଙ୍ଗା ସାବ୍ୟସ୍ତ ହେବା ସହ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ନାହାନ୍ତି। ତେଣୁ ଭୁବନେଶ୍ଵର କୁମାରଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଦଳରେ ସାମିଲ କରାଯାଇପାରେ। ଅନ୍ୟପଟେ ସ୍ପିନ ବିଭାଗରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। 

ସମ୍ଭାବିତ ଏକାଦଶ

ଭାରତ- ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ, ଶିବମ ଦୁବେ, ଶ୍ରେୟସ ଆୟର, ଋଷଭ ପନ୍ତ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି।

ଓ୍ଵେଷ୍ଟଇଣ୍ଡିଜ- କିରଣ ପୋଲାର୍ଡ, ଲେଣ୍ଡଲ ସିମନ୍ସ, ଏଭିନ ଲୁଇସ୍, ସିମରନ ହେଟମାୟର, ନିକୋଲାସ ପୁରନ, ବ୍ରେଣ୍ଡନ କିଙ୍ଗ, ଜାସନ ହୋଲଡର, ଖେରି ପିଏରୀ, ହେଡନ ଓ୍ଵାଲ୍ସ, କେସରିକ ଓ୍ଵିଲିୟମ୍ସ, ସେଲଡ୍ରନ କୋଟ୍ରେଲ।