Home > କ୍ରୀଡ଼ା
କୋହଲିଙ୍କ ‘ବିରାଟ’ ପାଳି ଓ ଲୋକେଶଙ୍କ ଅର୍ଦ୍ଧଶତକରେ ଫିକା ପଡ଼ିଲା ଇଣ୍ଡିଜର ୨୦୭ ରନ, ୬ ଓ୍ଵିକେଟରେ ପ୍ରଥମ ଟି-୨୦ ଜିତିଲା ଭାରତ
Khabar Odisha:sports--cricket--odisha--india-beat-wi-by-6-wickets-in-1st-t-20-match-in--hyderabad
ହାଇଦ୍ରାବାଦ, ଡିସେମ୍ବର୦୬(ଖବର ଓଡ଼ିଶା):

ରନ ବର୍ଷାରେ ଧୋଇଲା ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମ। ବିରାଟ କୋହଲିଙ୍କ ଅବିସ୍ମରଣୀୟ ଅପରାଜିତ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଲା ବିଶାଳ ୨୦୭ ରନ ସ୍କୋର। ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ ରନ ବଳରେ ଭାରତ ଓ୍ଵେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ  ୨୦୮ ରନର ବିଶାଳ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଲୋକେଶ ରାହୁଲ ଧୂଆଁଧାର ୬୨ ରନର ପାଳି ଖେଳି ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ସିମରନ ହେଟମାୟର(୫୬), ଏଭିନ ଲୁଇସ(୪୦) ଓ କିରଣ ପୋଲାର୍ଡ(୩୭)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ  ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୭ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ ରନ ଓ ଲୋକେଶ ରାହୁଲ(୬୨)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ  ଏହି ମ୍ୟାଚକୁ ୬ ଓ୍ଵିକେଟରେ ଜିତି ନେଇଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ  ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆସନ୍ତା ରବିବାର ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ କେରଳରେ ଖେଳାଯିବ। କୋହଲି ମୁକାବିଲାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। 

୨୦୮ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ଚତୁର୍ଥ ଓଭରରେ ୩୦ ରନ ସ୍କୋରରେ ରୋହିତ ଶର୍ମା(୮)ଙ୍କ ରୂପେ   ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଆରମ୍ଭ ହୋଇଥିଲା। ଉଭୟ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଇଣ୍ଡିଜ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଓଭର ପିଛା ୧୦ ରନ ହାରରେ ରନ ସଂଗ୍ରହ କରି ଦଳର ବିଜୟରେ ମୂଳ ଦୁଆ ପକାଇଥିଲେ। ଏହି କ୍ରମରେ ଲୋକେଶ ରାହୁଲ ଟି-୨୦ ଅନ୍ତରାଷ୍ଟ୍ରୀୟରେ ନିଜର ସପ୍ତମ ଏବଂ କୋହଲି ୨୩ ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ  ୧୦ ଓଭରରେ ଚୌକା ଓ ଛକା ବର୍ଷା କରି ୧୦୦ ରନ ଯୋଡ଼ିଥିଲେ। ୧୩୦ ରନ ସ୍କୋରରେ ଲୋକେଶ ରାହୁଲ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୪୦ ବଲରୁ ୫ ଚୌକା ଓ ୪ ଛକା ଜରିଆରେ ୬୨ ରନ କରିଥିଲେ।

ଏହା ପରେ କୋହଲି ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଋଷଭ ପନ୍ତଙ୍କ ସହ ତୃତୀୟ ଓ୍ଵିକେଟରେ ୪୮ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ପନ୍ତ ୯ ବଲରୁ ୨ ଛକା ବଳରେ ୧୮ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ୪ ରନ କରି ବିଦାୟ  ନେଇଥିଲେ। ଅଧିନାୟକ ବିରାଟ କୋହଲି ପୁଣି ଥରେ ଆଉ ଏକ ଅବିସ୍ମରଣୀୟ ଅପରାଜିତ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ। ତାଙ୍କର ଏହି ଚମତ୍କାର ବ୍ୟାଟିଂ ବଳରେ ଭାରତ ୧୮.୪ ଓଭରରେ ୪ ଓ୍ଵିକେଟ୍  ହରାଇ ୨୦୮ ରନର ବିଶାଳ ଲକ୍ଷ୍ୟକୁ ସହଜର ସହ ହାସଲ କରି ନେଇଛି। ବିରାଟ କୋହଲି ୫୦ ବଲରୁ ୬ ଚୌକା ଓ ୬ ଛକା ବଳରେ ୯୪ ରନ କରି ଅପରାଜିତ ଥିଲେ।