Home > କ୍ରୀଡ଼ା
ଦମ ଦେଖାଇଲେ ବ୍ୟାଟସମ୍ୟାନ, ଓ୍ଵେଷ୍ଟଇଣ୍ଡିଜକୁ ୬୭ ରନରେ ହରାଇ ଶୃଙ୍ଖଳା ଜିତିଲା ଭାରତ
Khabar Odisha:sports--cricket--odisha--india-beat-wi-by-67-runs-3rd-t-20-match-in--Mumbai
ମୁମ୍ବାଇ, ଡିସେମ୍ବର୧୧(ଖବର ଓଡ଼ିଶା):

ମୁମ୍ବାଇର ଓ୍ଵାଙ୍ଖେଡ଼ାରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ଲୋକେଶ ରାହୁଲ, ରୋହିତ ଶର୍ମା ଓ ଅଧିନାୟକ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦମରେ ଭାରତ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଲୋକେଶ ରାହୁଲ ୯୧(୫୬ବଲ), ରୋହିତ ଶର୍ମା ୭୧(୩୪ ବଲ) ଓ ବିରାଟ କୋହଲିଙ୍କ ୭୦(୨୯ ବଲ) ରନର ବିଧ୍ଵଂସ ପାଳି ବଳରେ ଭାରତ  ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍  ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ କିରଣ ପୋଲର୍ଡାଙ୍କ ୬୮ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି, ଭୁବନେଶ୍ଵର କୁମାର , ଦୀପକ ଚହର ଓ କୁଲଦୀପ ଯାଦବ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।  

୨୪୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟକୟ ଭୋଗିଥିଲା। ଦଳ ୩.୧ ଓଭରରେ ୧୭ ରନରେ ୩ ଓ୍ଵିକେଟ୍ ହରାଇଥିଲା। ଓପନର ବାଣ୍ଡ୍ରନ କିଙ୍ଗ(୫) ଭୁବନେଶ୍ଵର ଏବଂ ଲେଣ୍ଡଲ ସିମନ୍ସ(୭) ମହମ୍ମଦ ସାମିଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ। ନିକୋଲାସ ପୂରନ ଖାତା ଖୋଲିବା ପୂର୍ବରୁ ଦୀପକ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ସିମରନ ହେଟମାୟର ଓ ଅଧିନାୟକ କିରଣ ପୋଲାର୍ଡ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଉଭୟ ଚୌକା ଓ ଛକା ବର୍ଷା କରି ୩୮ ବଲରେ ୭୪ ରନ ସଂଗ୍ରହ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। 

ଏହି କ୍ରମରେ ୯୧ ରନ ସ୍କୋରରେ କୁଲଦୀପ ଯାଦବ ସିମରନ ହେଟମାୟରଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ସିମରନ ୨୪ ବଲରୁ ୧ ଚୌକା ଓ ୫ ଛକା ବଳରେ ୪୧ ରନ କରି ଆଉଟ୍ ହୋଇଥିଲେ। ଜାସନ ହୋଲଡର(୮) କୁଲଦୀପଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଦଳର ଶେଷ ଆଶା ଅଧିନାୟକ କିରଣ ପୋଲାର୍ଡଙ୍କୁ ଆଉଟ୍ କରି ଭୁବନେଶ୍ଵର ଭ୍ରମଣକାରୀ ଦଳକୁ ବଡ଼ ଝଟକା ଦେଇଥିଲେ। ପୋଲାର୍ଡ ୩୯ ବଲରୁ ୫ ଚୌକା ଓ ୬ ଛକା ଜରିଆରେ  ୬୮ ରନର ବିସ୍ଫୋରକ ପାଳି ଖେଳିଥିଲେ। ପୋଲାର୍ଡଙ୍କ ବିଦାୟ ପରେ ଦଳ ବିଜୟଠୁ ବହୁ ଦୂରରେ ରହି ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଓ୍ଵେଷ୍ଟଇଣ୍ଡିଜ ୮ ଓ୍ଵିକେଟ୍ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସାମି, ଭୁବନେଶ୍ଵର କୁମାର , ଦୀପକ ଚହର ଓ କୁଲଦୀପ ଯାଦବ ଦମଦାର ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଭାରତୀୟ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦମଦାର ଆରମ୍ଭ ଦେଇଥିଲେ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଉଭୟ ପ୍ରଥମ ଓଭରରୁ ହିଁ ଇଣ୍ଡିଜ ବୋଲରଙ୍କୁ ପ୍ରହାର କରିବା ଆରମ୍ଭ କରିଥିଲେ। ଫଳସ୍ଵରୂପ ୪ ଓଭରରେ ଭାରତ ୫୦ ରନ କରିଥିଲା।  ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ ଶର୍ମା ଟି-୨୦ କ୍ୟାରିୟରରେ ୧୯ତମ ଏବଂ ରାହୁଲ ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ୧୧.୪ ଓଭରରେ ଦୁଇ ବ୍ୟାଟସମ୍ୟାନ ଚୌକା ଓ ଛକା ବର୍ଷା କରି ପ୍ରଥମ ଓ୍ଵିକେଟ୍ ପାଇଁ ୧୩୫ ରନ ଯୋଡ଼ିଥିଲେ। ଏହି ସ୍କୋରରେ ଭାରତ ରୋହିତ ଶର୍ମାଙ୍କ  ଓ୍ଵିକେଟ୍ ହରାଇଥିଲା। ରୋହିତ ୩୪ ବଲରୁ ୬ ଚୌକା ଓ ୫ ଛକା ବଳରେ ୭୧ ରନ କରି ପାଭିଲିୟନ ଫେରିଥିଲେ। 

ଏହା ପରେ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତଙ୍କ ପରେ କ୍ରିଜକୁ ଆସିବା  ମାତ୍ରେ ଅଧିନାୟକ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୫ ଓଭରରେ ଭାରତ ୨ ଓ୍ଵିକେଟରେ ୧୭୩ ରନ କରିଥିଲା। ଖାସ୍ କରି କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି କେବଳ ୨୧ଟି ବଲରୁ ଟି-୨୦ ଅନ୍ତରାଷ୍ଟ୍ରୀୟରେ ନିଜର ଦ୍ରୁତତମ ଅର୍ଦ୍ଧଶତକ  ହାସଲ କରିଥିଲେ। ଏହି ଫର୍ମାଟରେ କୋହଲିଙ୍କ ଏହା ହେଉଛି ୨୪ ତମ ଅର୍ଦ୍ଧଶତକ।  ଦମଦାର ବ୍ୟାଟିଂ କରି ଶତକ ଆଡ଼କୁ ଅଗ୍ରସର ରାହୁଲ ୫୬ ବଲରୁ ୯ ଚୌକା ଓ ୪ ଛକା ଜରିଆରେ ୯୧ ରନ କରିଥିଲେ। ରାହୁଲ ଓ କୋହଲି ତୃତୀୟ ଓ୍ଵିକେଟ୍ ପାଇଁ ୪୪ ବଲରୁ ୯୫ ରନ  ଯୋଡ଼ି ଦଳର ସ୍କୋରକୁ ୨୩୩ରେ ପହଞ୍ଚାଇଥିଲେ। କୋହଲି ବିଧ୍ଵଂସ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ୪ ଚୌକା ଓ ୭ ଛକା ବଳରେ ୭୦ ରନ କରି ଅପରାଜିତ ଥିଲେ। ଶେଷ ପାଞ୍ଚ ଓଭରରେ ଭାରତ ୬୭ ରନ ଯୋଡ଼ିଥିଲା।ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଛି। ଏହା ଟି-୨୦ ଅନ୍ତରାଷ୍ଟ୍ରୀୟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। 

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କେସରିକ ଓ୍ଵିଲିୟମସନ, ସେଲଡ୍ରନ କୋଟ୍ରେଲ ଓ କିରଣ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।