Home > କ୍ରୀଡ଼ା
ରାଞ୍ଚି ଟେଷ୍ଟ: ରୋହିତଙ୍କ ଦ୍ଵିଶତକ, ଖରାପ ଆଲୋକ ଯୋଗୁଁ ଖେଳ ବନ୍ଦ, ଦ. ଆଫ୍ରିକା ୪୮୮ ରନ ପଛରେ
Khabar Odisha:sports--cricket--odisha--india-vs-south-africa-3rd-test-day-2-match-report-and-highlights
ରାଞ୍ଚି,ଅକ୍ଟୋବର୨୦(ଖବର ଓଡ଼ିଶା):

ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ଵିଶତକ ଓ ଆଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ଭାରତ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ୯ ଓ୍ଵିକେଟରେ ୪୯୭ ରନ କରି  ପ୍ରଥମ ଇନିଂସ ଘୋଷଣା କରିଛି। ଜବାବରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ରନରେ ୨ ଓ୍ଵିକେଟ୍ ହରାଇଛି। ଚା ପାନ ବିରତି ପରେ କ୍ରମାଗତ ଦ୍ଵିତୀୟ ଦିନ ଖରାପ ପାଗ ଯୋଗୁଁ ମାତ୍ର ୫ ଓଭର ଖେଳ ହୋଇ ପାରିଥିଲା। ଦଳର ଦୁଇ ଓପନର ପାଭିଲିୟନ ଫେରି ସାରିଛନ୍ତି। ଜୁବେର ହାଜମା(୦) ଓ ଅଧିନାୟକ ଫାଫ ଡୁପ୍ଲେସିସ୍(୧) ଅପରାଜିତ ଅଛନ୍ତି। ହାତରେ ୮ ଓ୍ଵକେଟ୍ ଥାଇ ଭ୍ରମଣକାରୀ ଦଳ ଭାରତଠୁ ୪୮୮ ରନ ପଛରେ ରହିଛି। ଭାରତ ପକ୍ଷରୁ ମହମ୍ମଦ ସାମି ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ଦିନରେ ରୋହିତଙ୍କ ଦ୍ଵିଶତକ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା।

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୯ ଓ୍ଵିକେଟରେ ୪୯୭ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା। ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ପ୍ରଥମ ଦ୍ଵିଶତକ ହାସଲ କରିଛନ୍ତି। ରୋହିତ ୨୫୫ ବଲରୁ ୨୮ ଚୌକା ଓ ୬ ଛକା ଜରିଆରେ ୨୧୨ ରନ କରିଛନ୍ତି। ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ନିଜ ଟେଷ୍ଟ କ୍ୟାରିୟରର ୧୧ତମ ଶତକ  ହାସଲ କରିଛନ୍ତି। ରାହାଣେ ୧୧୫ ରନର ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ସଫଳ ବୋଲର ଭାବେ ଜର୍ଜ ଲିଣ୍ଡେ ୪, କାଗିସୋ ରାବାଡ଼ା ୩ ସଫଳତା ପାଇଥିବା ବେଳେ ଏନରିଚ୍ ନର୍ତ୍ତେଜ ଏବଂ ଡେନ ପିଟଙ୍କୁ ୧-୧ ଓ୍ଵିକେଟ୍ ମିଳିଛି। 

ପ୍ରଥମ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମରୁ ହିଁ ଭାରତୀୟ ବୋଲିଂ ସାମ୍ନାରେ ଆଣ୍ଠେଇଛି। ମାତ୍ର ୫ ଓଭର ଖେଳ ମଧ୍ୟରେ ଦଳ ୯ ରନରେ ଦୁଇ ଓପନରଙ୍କୁ ହରାଇ ସାରିଛି। ୪ ରନ ସ୍କୋରରେ ମହମ୍ମଦ ସାମି ଡିନ ଏଲଗରଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ଏହା ପରେ ଉମେଶ ଯାଦବ କ୍ଵିଣ୍ଟନ ଡିକକ(୪)ଙ୍କୁ ଓ୍ଵିକେଟ୍ କିପର ଋଦ୍ଧିମାନ ଶାହାଙ୍କ ହାତରେ କ୍ୟାଚ୍ କରାଇ ଆଉଟ୍ କରିଥିଲେ। ଚା ପାନ ବିରତି ପରେ ବର୍ଷା ହେବାରୁ ଅନ୍ତିମ ସେସନରେ ମାତ୍ର ୫ ଓଭର ଖେଳ ହୋଇ ପାରିଥିଲା। ଜୁବେର ହାଜମା(୦) ଓ ଅଧିନାୟକ ଫାଫ ଡୁପ୍ଲେସିସ୍(୧) ଅପରାଜିତ ଅଛନ୍ତି।

ଏହା ପୂର୍ବରୁ ଭାରତ ୨୨୪/୩ରୁ ଖେଳ ଆରମ୍ଭ କରିଥିଲା। ରୋହିତ ଓ ଆଜିଙ୍କ୍ୟ ପ୍ରଥମ ଦିନର ଖେଳ ଯେଉଁଠି ଶେଷ କରିଥିଲେ ଠିକ୍ ଆଜି ସେଠାରୁ ଆରମ୍ଭ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦିନିକିଆ ମ୍ୟାଚ୍ ପରି ବ୍ୟାଟିଂ କରିଥିଲେ। ଗତକାଲି ୧୧୭ ରନ କରିଥିବା ରୋହିତ ଆଜି ୨୫୫ ବଲରୁ ୨୮ ଚୌକା ଓ ୬ ଛକା ଜରିଆରେ ୨୧୨ ରନ କରିଥିଲେ। ରୋହିତ ଟେଷ୍ଟ କ୍ୟାରିୟରରେ ଷଷ୍ଠ ଏବଂ ଚଳିତ ଶୃଙ୍ଖଳାରେ ତୃତୀୟ ଶତକ ହାସଲ କରିଥିଲେ। ଏହା ସହିତ ଟେଷ୍ଟ କ୍ୟାରିୟରରେ ପ୍ରଥମ ଦ୍ଵିଶତକ ଅର୍ଜନ କରିଥିଲେ।

ଅନ୍ୟପଟେ ଆଜିଙ୍କ୍ୟ ରାହାଣେ ଟେଷ୍ଟ କ୍ୟାରିୟରର ୧୧ତମ ଶତକ ପୂରଣ କରିଥିଲେ। ସେ ୧୧୫ ରନର ଦମଦାର ପାଳି  ଖେଳିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୨୬୭ ରନ ଯୋଡ଼ି ଭାରତର ସ୍କୋର ୩୦୫ ରନରେ ପହଞ୍ଚାଇଥିଲେ। ଉଭୟ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ରବୀନ୍ଦ୍ର ଜାଡ଼େଜା ୫୧ ରନ କରି ୧୩ତମ ଟେଷ୍ଟ ଅର୍ଦ୍ଧଶତକ  ହାସଲ କରିଥିଲେ। ଶେଷ ଆଡକୁ ଉମେଶ ଯାଦବ ମାତ୍ର ୧୦ ବଲରୁ ବିସ୍ଫୋରକ ବ୍ୟାଟିଂ କରି ୫ ଛକା ଜରିଆରେ ୩୧ ରନ କରିଥିଲେ। ଋଦ୍ଧିମାନ ଶାହା ୨୪ ଓ ରବିଚନ୍ଦ୍ରନ ଅଶ୍ଵିନ ୧୪ ରନ କରିଥିଲେ।