Home > କ୍ରୀଡ଼ା
ଓ୍ଵେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନଙ୍କ ରନ ବର୍ଷା, ଭାରତ ସମ୍ମୁଖରେ ୨୦୮ ରନର ବିଜୟ ଲକ୍ଷ୍ୟ
Khabar Odisha:sports--cricket--odisha--india-vs-west-indies-1st-t20-at-hyderabad
ହାଇଦ୍ରାବାଦ, ଡିସେମ୍ବର୦୬(ଖବର ଓଡ଼ିଶା):

ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ରନ ବର୍ଷା ଦେଖିବାକୁ ମିଳିଛି। ସିମରନ ହେଟମାୟରଙ୍କ ଅର୍ଦ୍ଧଶତକ(୫୬) ଓ ଅନ୍ୟ ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍  ହରାଇ ୨୦୭ ରନ କରି ବିଶାଳ ରନ ସ୍କୋର ଛିଡ଼ା କରିଛି। ସିମରନଙ୍କ ବ୍ୟତୀତ ଏଭିନ ଲୁଇସ୍ ୧୭ ବଲରୁ ୪୦ ଓ କିରଣ ପୋଲାର୍ଡ ୧୯  ବଲରୁ ୩୭ ରନର ଧୂଆଁଧାର ପାଳି ଖେଳିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମୁକାବିଲାରେ ଭାରତୀୟ ବୋଲର ପ୍ରଭାବହୀନ ରହିବା ସହିତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।  ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

୧୩ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲେ ହେଁ ଇଣ୍ଡିଜ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ନିଜର ଆଭିମୁଖ୍ୟ ଦର୍ଶାଇ ଦେଇଥିଲା। ଲେଣ୍ଡନ ସିମସନ(୨) ଚହରଙ୍କ ବଲରେ ଆଉଟ୍ ହେବା ପରେ ଏଭିନ ଲୁଇସ୍ ଓ  ବ୍ରାଣ୍ଡନ କିଙ୍ଗ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୫୧ ରନ ଯୋଡ଼ିଥିଲେ। ଘାତକ ସାଜିଥିବା ଲୁଇସଦଙ୍କୁ ଆଉଟ୍ କରି ଓ୍ଵାଶିଂଟନ ସୁନ୍ଦର ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ସେ ମାତ୍ର ୧୭ ବଲରୁ ୩ ଚୌକା ଓ ୪ ଛକା ଜରିଆରେ ୪୦ ରନର ଧୂଆଁଧାର ପାଳି ଖେଳିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ୫.୪ ଓଭରରେ ୨ ଓ୍ଵିକେଟ୍ ହରାଇ ୬୪ ରନ କରିଥିଲା। ଏହା ପରେ ବ୍ରାଣ୍ଡନ କିଙ୍ଗ ୨୩ ବଲରୁ ୩୧ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ସିମରନ ହେଟମାୟର ଓ ଅଧିନାୟକ କିରଣ ପୋଲାର୍ଡ ଦଳର ଦ୍ରୁତ ରନ ଗତିକୁ ବଜାୟ ରଖିଥିଲେ। ଉଭୟ ଭାରତ ବୋଲରଙ୍କୁ ଜୋରଦାର ପ୍ରହାର କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ିଥିଲେ। ୧୮ ତମ ଓଭରରେ ୟୁଜବେନ୍ଦ୍ର ଚହଲ ସିମରନ ହେଟମାୟରଙ୍କୁ ଆଉଟ୍ କରିଥିଲେ। ସିମରନ  ହେଟମାୟର ୪୧ ବଲରୁ ୨ ଚୌକା ଓ ୪ ଛକା ବଳରେ ୫୬ ରନ କରିଥିଲେ। ଟି-୨୦ ଅନ୍ତରାଷ୍ଟ୍ରୀୟରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ସେହି ଓଭରରେ କିରଣ ପୋଲାର୍ଡଙ୍କୁ ବୋଲ୍ଡ କରି ଚହଲ ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଏହା ପୂର୍ବରୁ ପୋଲାର୍ଡ ୧୯ ଲବରୁ ୧ ଚୌକା ଓ ୪ ଛକା ଜରିଆରେ ୩୭ ରନ କରି ନିଜର ଅଧିନାୟକ ପାଳି ଖେଳିଥିଲେ। 

ଶେଷ ଆଡ଼କୁ ଜାସନ ହୋଲଡର ୯ ବଲରେ ବିସ୍ଫୋରକ ବ୍ୟାଟିଂ କରି ୧ ଚୌକା ଓ ୨ ଛକା ବଳରେ ୨୪ ରନ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ  ୫ ଓ୍ଵିକେଟ୍  ହରାଇ ୨୦୭ ରନ କରି ଭାରତକୁ ୨୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ହୋଲଡର ୨୪ ଓ ଡିନେଶ ରାମଦିନ ୧୧ ରନ କରି ଅପରାଜିତ ଥିଲେ। ଆଜିର ମ୍ୟାଚରେ ଭାରତୀୟ ବୋଲର ପ୍ରଭାବହୀନ ରହିବା ସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।