Home > କ୍ରୀଡ଼ା
ମହିଳା କ୍ରିକେଟର ରଚିଲେ ଇତିହାସ, ଭାଙ୍ଗିଲେ ସଭିଙ୍କ ରେକର୍ଡ଼, ୦ ରନ ଦେଇ ନେଲେ ୬ ଓ୍ଵିକେଟ୍
Khabar Odisha:sports--cricket--odisha--nepal-anjali-chand-record-in-t20i-cricket-took-6-wickets-for-no-runs-in-any-international-match
ମୁମ୍ବାଇ, ଡିସେମ୍ବର୦୨(ଖବର ଓଡ଼ିଶା):

ନେପାଳର କ୍ରିକେଟ୍ ଖେଳାଳି ଅଞ୍ଜଳୀ ଚନ୍ଦ ସୋମବାର ଇତିହାସ ରଚିଛନ୍ତି। ସେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ ମ୍ୟାଚରେ ବିନା କୌଣସି ରନ ଦେଇ ୬ଟି ଓ୍ଵିକେଟ୍ ନେଇଛନ୍ତି। ଅଞ୍ଜଳୀ ନେପାଳର ପୋଖରାରେ ଖେଳାଯାଇଥିବା ମାଳଦ୍ଵୀପ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି।  

ଦକ୍ଷିଣ ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଏହା ପ୍ରଥମ ମୁକାବିଲା ଥିଲା। ଅଞ୍ଜଳୀଙ୍କ ଏହି ଘାତକ ବୋଲିଂ ବଳରେ ନେପାଳ ମାଳଦ୍ଵୀପ ଦଳକୁ ମାତ୍ର ୧୬ ରନରେ ଅଲଆଉଟ୍ କରିଥିଲା। ଜବାବରେ ନେପାଳ ୫ଟି ବଲରେ ବିନା ଓ୍ଵିକେଟ୍ ହରାଇ ୧୭ ରନ କରି ମ୍ୟାଚ୍ ଜିତି ନେଇଛି। ନେପାଳ ପକ୍ଷରୁ ଓପନଜର କାଜଲ ଶ୍ରେଷ୍ଠ ୧୩ ରନ କରିଥିବା ବେଳେ ଅତିରିକ୍ତ ୪ ରନ ମିଳିଛି।

ଅଞ୍ଜଳୀ ରଚିଲେ ଇତିହାସ

ଅଞ୍ଜଳୀ ଇତିହାସ ରଚିବା ସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ (ପୁରୁଷ ଓ ମହିଳା)ରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଏହା ପୂର୍ବରୁ ମାଳଦ୍ଵୀପର ମାସ ଏଲିସା ଚୀନ ବିପକ୍ଷରେ ଚଳିତ ବର୍ଷ ୩ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ପୁରୁଷ କ୍ରିକେଟରେ ଭାରତର ଦୀପକ ଚହରଙ୍କ ନାମରେ ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ ରହିଛି। ସେ ନଭେମ୍ଵର ୧୦ରେ ବାଂଲାଦେଶ ବିପକ୍ଷରେ ୭ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। 

୧୩ ବଲ, ୬ ଓ୍ଵିକେଟ୍

୨୪  ବର୍ଷୀୟ ଅଞ୍ଜଳୀ ଏହି ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ୨.୧ ଓଭର ବୋଲିଂ କରି ୦ ରନ ଦେଇ ୬ ଓ୍ଵିକେଟ୍ ନେଇଛନ୍ତି। ଅଞ୍ଜଳୀ ୩  ଜଣ ବ୍ୟାଟସମ୍ୟାନଙ୍କୁ ବୋଲ୍ଡ, ଦୁଇ ଜଣଙ୍କୁ କ୍ୟାଚ୍ ଆଉଟ୍ ଓ ଜଣଙ୍କୁ ଷ୍ଟମ୍ପ ଆଉଟ୍ କରିଥିଲେ। 

ସବୁଠୁ ବଡ଼ କଥା ଏହା ଯେ, ଅଞ୍ଜଳୀଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏହି ପ୍ରଦର୍ଶନ ବଳରେ ସେ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ଟୂର୍ଣ୍ଣାମେଣ୍ଟରେ ନେପାଳ, ମାଲଦ୍ଵୀପ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ଭାଗ ନେଇଛନ୍ତି।