Home > କ୍ରୀଡ଼ା
ଅଷ୍ଟ୍ରେଲିଆକୁ ତାରି ଘରେ କେବଳ ଭାରତ ହିଁ ମାତ୍ ଦେଇ ପାରିବ: ମାଇକେଲ୍ ଭନ
Khabar Odisha:sports--cricket--odisha--only-team-india-can-beat-australia-at-their-home-says-michael-vaughan
ନୂଆଦିଲ୍ଲୀ, ଡିସେମ୍ବର୦୨(ଖବର ଓଡ଼ିଶା):

ଅଷ୍ଟ୍ରେଲିଆ ଦଳ ସଂପ୍ରତି ଦମଦାର କ୍ରିକେଟ୍ ଖେଳୁଛି। ସୋମବାର କଙ୍ଗାରୁ ଦଳ ନିଜ ଘରେ ପାକିସ୍ତାନକୁ ୨-୦ରେ ମାତ୍ ଦେଇ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। ଏହା ଉପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କହିଛନ୍ତି ଯେ, ସଂପ୍ରତି କଙ୍ଗାରୁ ଦଳକୁ ତାରି ଘରେ ହରାଇବା ସବୁ ଦଳ ପକ୍ଷେ ସମ୍ଭବ ନୁହଁ। ସଂପ୍ରତି ଭାରତୀୟ ଦଳ  ହିଁ ଅଷ୍ଟ୍ରେଲିଆକୁ ତାରି ଘରେ ହରାଇ ପାରିବ।

ମାଇକେଲ୍ ଭନ ଆଜି  ପାକିସ୍ତାନର ପରାଜୟ ପରେ ଟ୍ଵିଟ୍  କରିଛନ୍ତି ଯେ, ଅଷ୍ଟ୍ରେଲିଆର ଏହି ଦଳ ସାଂପ୍ରତିକ ସ୍ଥିତିରେ ଅନେକ ଦଳକୁ ହରାଇ ଚାଲିଛି। କେବଳ ଭାରତୀୟ ଦଳ ପାଖରେ ସେହି ଅସ୍ତ୍ର ରହିଛି, ଯିଏ ଏହି ପରିସ୍ଥିତିରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ପାରିବ।

ଆଡ଼ିଲେଡ଼ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଦିବାରାତ୍ର ଟେଷ୍ଟ ଥିଲା। ଏହି ମ୍ୟାଚକୁ କଙ୍ଗାରୁ ଦଳ ଭ୍ରମଣକାରୀ ପାକିସ୍ତାନକୁ ଇନିଂସ ଓ ୪୮ ରନରେ ପରାସ୍ତ କରିଛି। ଏହି ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩ ଓ୍ଵିକେଟରେ ୫୮୯ ରନରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଓପନିଂ ବ୍ୟାଟସମ୍ୟାନ ଡେଭିଡ଼ ଓ୍ଵାର୍ଣ୍ଣର ଅପରାଜିତ ୩୩୫ ରନ ଓ ମାର୍ନସ ଲାବୁସେନ ୧୬୨ ରନର ଦମଦାର ପାଳି ଖେଳିଥିଲେ। 

ଏହାର ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୩୦୨ ରନ ଏବଂ ଦ୍ଵିତୀୟ ଇନିଂସରେ ୨୩୯ ରନ କରି ଇନିଂସ ପରାଜୟ ଭୋଗିଥିଲା। ମିଚେଲ ଷ୍ଟାର୍କ, ନାଥନ ଲିୟନ, ପାଟ କମିନ୍ସ ଓ ଜୋଶ ହେଜେଲଉଡ଼ଙ୍କ ଘାତକ ବୋଲିଂ ସାମ୍ନାରେ ପାକିସ୍ତାନର ବ୍ୟାଟମସ୍ୟାନ ତିଷ୍ଠି ପାରିନଥିଲେ। 

ଗୋଟିଏ ବର୍ଷର ବାସନ୍ଦାଦେଶ ପରେ ଯେବେଠୁ ଦଳକୁ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ଼ ଓ୍ଵାର୍ଣ୍ଣର ଫେରିଛନ୍ତି ତେବେଠୁ ଅଷ୍ଟ୍ରେଲିଆ ବିଜୟ ମାର୍ଗକୁ ଫେରି ଆସିଛି। ଦୁଇ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆ ପ୍ରଥମେ ଆସେସ୍ ଶୃଙ୍ଖଳାକୁ ନିଜ ପାଖରେ ରଖି ପାରିଥିଲା। ଏହା ପରେ ପାକିସ୍ତାନକୁ ନିଜ ଘରେ ୨-୦ରେ ହରାଇଛି। ଓ୍ଵାର୍ଣ୍ଣର, ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନ ପରେ କଙ୍ଗାରୁ ଦଳରେ ମାର୍ନସ ଲାବୁସେନ ମଧ୍ୟ ବଡ଼ ଇନିଂସ ଖେଳୁଛନ୍ତି। ଏହା ବ୍ୟତୀତ ମିଚେଲ୍ ଷ୍ଟାର୍କ, ହେଜେଲଉଡ଼, କମିନ୍ସ ଓ ଲିୟୋନଙ୍କ ବୋଲିଂ ମଧ୍ୟ ଘାତକ ହୋଇ ସାରିଛି।