Home > କ୍ରୀଡ଼ା
ପୁଣି ଥରେ ଦୀପକ ଚହରଙ୍କ କମାଲ, ତିନି ଦିନରେ ନେଲେ ଦ୍ଵିତୀୟ ହ୍ୟାଟ୍ରିକ
Khabar Odisha:sports--cricket--odisha--syed-mushtaqali-trophy-another-hat-trick-for-deepak-chahar
ନୂଆଦିଲ୍ଲୀ, ନଭେମ୍ବର୧୨(ଖବର ଓଡ଼ିଶା):

 ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ହ୍ୟାଟ୍ରିକ ନେଇ ଇତିହାସ ରଚିଥିବା ଦ୍ରୁତ ବୋଲର ଦୀପକ ଚହର ପୁଣି ଥରେ କମାଲ କରିଛନ୍ତି। ଚହର ତିନି ଦିନରେ ଦ୍ଵିତୀୟ ଥର ହ୍ୟାଟ୍ରିକ ନେଇଛନ୍ତି। ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ରାଜସ୍ଥାନ ପକ୍ଷରୁ ବିଦର୍ଭ ବପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୬ଟି ବଲରେ ୪ ଓ୍ଵିକେଟ୍ ନେଇଛନ୍ତି। ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ବିଦର୍ଭ ନିର୍ଦ୍ଧାରିତ ୧୩ ଓଭରରେ ୯ ଓ୍ଵିକେଟ୍ ହରାଇ ୯୯ ରନ କରିବାକୁ ସକ୍ଷମ ହୋଇଛି। ଚହର ୬ ହାରରେ ୧୮ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ୧୩ତମ ଓଭରରେ ଚହର ବିଦର୍ଭର ବ୍ୟାଟିଂକୁ ଧ୍ଵସ୍ତ ବିଧ୍ଵସ୍ତ କରି ୧୦୦ ରନ ଛୁଇଁବାକୁ ଦେଇନଥିଲେ। 

ଓଭରର ପ୍ରଥମ ବଲରେ ଋଷଭ ରାଠୋରଙ୍କୁ ନିଜର ପ୍ରଥମ ଶିକାର କରିଥିଲେ। ଏହା ପରେ ଚତୁର୍ଥ ବଲରେ ଦର୍ଶନ ନାଲକଣ୍ଡେ, ପଞ୍ଚମ ବଲରେ ଶ୍ରୀକାନ୍ତ ଓ ଷଷ୍ଠ ବଲରେ ଅକ୍ଷୟ ଓ୍ଵାଦେକରଙ୍କୁ ନିଜର ଶିକାର କରି ହ୍ୟାଟ୍ରିକ ନେଇଛନ୍ତି। ବିଦର୍ଭ ପକ୍ଷରୁ କୋଲହର ସର୍ବାଧିକ ୨୪ ରନ କରିଥିଲେ।

ଦୁଇ ଦିନ ପୂର୍ବେ ଚହର ନାଗପୁର ଟି ୨୦ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ମାତ୍ର ସାତ ରନ ଦେଇ ହ୍ୟାଟ୍ରିକ ସହ ମୋଟ୍ ୬ ଓ୍ଵିକେଟ୍ ନେଇଥିଲେ। ସେ ଅନ୍ତରାଷ୍ଟ୍ରୀୟ ଟି-୨୦ରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ବୋଲର। କେବଳ ଏତିକି ନୁହଁ ଟି ୨୦ କ୍ରିକେଟରେ କୌଣସି ବୋଲରଙ୍କ ଦ୍ଵାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଚହର ଅଜନ୍ତା ମେଣ୍ଡିସଙ୍କ ରେକର୍ଡ଼ ଭାଙ୍ଗିଥିଲେ। ଚହରଙ୍କ ପୂର୍ବରୁ ଟି ୨୦ ଅନ୍ତରାଷ୍ଟ୍ରୀୟରେ ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ଼ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସଙ୍କ ନାମରେ ଥିଲା। ସେ ୨୦୧୨ରେ ଜିମ୍ବାଓ୍ଵେ ବିପକ୍ଷରେ ୮ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ।