Home > କ୍ରୀଡ଼ା
ବିଶ୍ଵ କୁସ୍ତି ଚମ୍ପିଆନସିପ୍: ଫାଇନାଲରେ ଦୀପକ ପୁନିଆ, ଇତିହାସ ରଚିବାରେ ଗୋଟିଏ ପାଦ ଦୂରରେ
Khabar Odisha:sports--cricket--odisha--world-wrestling-championship-deepak-punia-in-finals-medal-assured-for-india
ନୁର ସୁଲତାନ,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ଭାରତର ଯୁବ ମଲ୍ଲଯୋଦ୍ଧା ଦୀପକ ପୁନିଆ କଜାକସ୍ତାନର ନୁର ସୁତଲାନରେ ଖେଳାଯାଉଥିବା ବିଶ୍ଵ କୁସ୍ତି ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହିତ ସେ ଏକ ପଦକ ନିଶ୍ଚିତ କରିଛନ୍ତି। ଶନିବାର ସେମି ଫାଇନାଲରେ ପ୍ରବେଶ କରିବା ମାତ୍ରେ ସେ ଆସନ୍ତା ବର୍ଷ ଟୋକିଓରେ  ହେବାକୁ ଥିବା ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ।

ପୁନିଆ ୮୬ କିଲୋଗ୍ରାମ ଭାରବର୍ଗର ସେମି ଫାଇନାଲରେ ସ୍ଵିଜରଲାଣ୍ଡର ମଲ୍ଲଯୋଦ୍ଧା  ଷ୍ଟିଫନ ରିଚମୁଥଙ୍କୁ ୮-୨ରେ ପରାସ୍ତ କରିଛନ୍ତି। ଏବେ ଫାଇନାଲରେ ତାଙ୍କର ମୁକାବିଲା ଇରାନର ଅଲିମ୍ପିକ ଚମ୍ପିଆନ ହସନ ୟଜଦାନୀଙ୍କ ସହିତ ହେବ। ଯଦି ସେ ସ୍ଵର୍ଣ୍ଣ ପଦକ  ଜିତନ୍ତି ତେବେ ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିବାରେ ଭାରତର ଦ୍ଵିତୀୟ ମଲ୍ଲଯୋଦ୍ଧା ହେବେ। ଏହା ପୂର୍ବରୁ  ମଲ୍ଲଯୋଦ୍ଧା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ହୋଇଥିବା ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। 

ଏହା ପୂର୍ବରୁ ଦୀପକ ସଂଘର୍ଷପୂର୍ଣ୍ଣ କ୍ଵାର୍ଟର ଫାଇନାଲ ମୁକାବିଲାରେ କୋଲମ୍ବିଆର କାର୍ଲୋସ ମେଣ୍ଡେଜକୁ ୭-୬ରେ ପରାସ୍ତ କରି ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ପୁନିଆ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଚତୁର୍ଥ ଭାରତୀୟ ମଲ୍ଲଯୋଦ୍ଧା ହୋଇଛନ୍ତି। ଏହା ପୂର୍ବରୁ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗାଟ, ବଜରଙ୍ଗ ପୁନିଆ ଓ ରବି ଦହିଆ ନିଜ ନିଜ ବର୍ଗରେ ଅଲିମ୍ପିକ ପାଇଁ ଯୋଗ୍ୟତାଅର୍ଜନ କରି ସାରିଛନ୍ତି।