Home > କ୍ରୀଡ଼ା
ଗାଙ୍ଗୁଲି ରାଜରେ କଣ ଦ୍ରାବିଡ଼ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ? ଶୀଘ୍ର ନିଷ୍ପତ୍ତି ଶୁଣାଇପାରେ ବିସିସିଆଇ
Khabar Odisha:sports--cricket--odisha-hearing-on-dravids-conflict-of-interest-issue-will-be-decided-soon
ନୂଆଦିଲ୍ଲୀ, ନଭେମ୍ବର୧୨(ଖବର ଓଡ଼ିଶା):

ଭାରତର ମହାନ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ନେଇ ଚାଲିଥିବା ସ୍ଵାର୍ଥଗତ ମାମଲାର ଶୁଣାଣି ମଙ୍ଗଳବାର ସମାପ୍ତ  ହୋଇଛି। ବିସିସିଆଇର ଆଚରଣ ଅଧିକାରୀ ଡିକେ ଜୈନ ଏହା ଉପରେ ଶୀଘ୍ର ନିଷ୍ପତ୍ତି ଆସିପାରେ ବୋଲି କହିଛନ୍ତି।  

ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଦ୍ରାବିଡ଼ଙ୍କ ବିରୋଧରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡ଼େମୀ(ଏନସିଏ)ର ମୁଖ୍ୟ ହେବା ସହିତ ଇଣ୍ଡିଆ ସିମେଣ୍ଟର କର୍ମଚାରୀ ଥିବା ସ୍ଵାର୍ଥଗତ ଅଭିଯୋଗ ଆଣିଥିଲେ। 

ଡିକେ ଜୈନ କହିଛନ୍ତି ଯେ, ଶୁଣାଣି ସମାପ୍ତ ହୋଇ ସାରିଛି। ଶୀଘ୍ର ମାମଲାରେ ନିଷ୍ପତ୍ତି ଆସିଯିବ। ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ସେପ୍ଟେମ୍ବର ୨୬ରେ ମୁମ୍ବାଇରେ ବ୍ୟକ୍ତିଗତ ଶୁଣାଣିରେ ନିଜର ପକ୍ଷ ରଖିଥିଲେ। ବୋର୍ଡର ଅଧିକାରୀ କହିଛନ୍ତି ଯେ, ବିସିସିଆଇର ଓକିଲ ଓ ଅଭିଯୋଗକାରୀ ଗୁପ୍ତାଙ୍କ ପକ୍ଷ ମଧ୍ୟ ଶୁଣିଛନ୍ତି। 

ସଂପ୍ରତି ଦ୍ରାବିଡ଼  ବେଙ୍ଗାଲୁରୁରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏହା ବ୍ୟତୀତ ସେ ଇଣ୍ଡିଆ ସିମେଣ୍ଟ ଗ୍ରୁପର ଉପ ସଭାପତି ଅଛନ୍ତି। ଇଣ୍ଡିଆ ସିମେଣ୍ଟ ଗ୍ରୁପ ପାଖରେ ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ସର ମାଲିକାନା ହକ୍ ରହିଛି। ଦ୍ରାବିଡ଼ ପୂର୍ବରୁ କହି ସାରିଛନ୍ତି ଯେ, ସେ ଇଣ୍ଡିଆ ସିମେଣ୍ଟରୁ ଛୁଟି ନେଇ ସାରିଛନ୍ତି ଏବଂ ତାଙ୍କର ଚେନ୍ନାଇ ସୁପରକିଙ୍ଗ୍ସ ସହିତ କୌଣସି ସଂପର୍କ ନାହିଁ।