Home > କ୍ରୀଡ଼ା
କାଲି ଶୃଙ୍ଖଳା ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବ ଭାରତ, ଚିନ୍ନାସ୍ଵାମୀରେ ନାହିଁ ଭଲ ରେକର୍ଡ
Khabar Odisha:sports--cricket--odisha-india-vs-south-africa-3rd-t20-bangalore-ind-vs-sa-m-chinnaswamy-stadium
ବେଙ୍ଗାଲୁରୁ,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟି ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ  ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ଶୃଙ୍ଖଳା ନିଜ ନାମରେ କରିବାକୁ ଚାହିଁବ। ଧର୍ମଶାଳାରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇବା ପରେ ମୋହାଲି ମ୍ୟାଚକୁ ଭାରତ ୭ ଓ୍ଵିକେଟରେ  ଜିତି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ଟି-୨୦ ଅନ୍ତରାଷ୍ଟ୍ରୀୟରେ  ଭାରତ ଓ ଦ. ଆଫ୍ରିକା ମଧ୍ୟରେ ଏ ପର୍ଯ୍ୟନ୍ତ ୧୪ଟି ମୁକାବିଲା ଖେଳାଯାଇଛି। ଏଥିରେ ଭାରତ ୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫ଟିରେ ଜିତିଛି। ଦୁଇଟି ମ୍ୟାଚ୍ ବାତିଲ ହୋଇଛି। ଭାରତ ମାଟିରେ ଦୁଇ ଦେଶ ମଧ୍ୟରେ ଏ ଯାଏ ତିନୋଟି ଟି-୨୦ ମୁକାବିଲା ଖେଳା ଯାଇଛି। ଯେଉଁଥିରେ ଭାରତ ଗୋଟିଏ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ରଦ୍ଦ  ହୋଇଛି।

ଚିନ୍ନାସ୍ଵାମୀରେ ରେକର୍ଡ ସୁଧାରିବାକୁ ଚାହିଁବ ଭାରତ

ଏହି ପଡ଼ିଆରେ ଭାରତର ରେକର୍ଡ ଏ ପର୍ଯ୍ୟନ୍ତ ୫୦-୫୦ ପ୍ରତିଶତ ରହିଛି। ଭାରତ ଏହି ପଡ଼ିଆରେ ଏ ପର୍ଯ୍ୟନ୍ତ ମୋଟ୍ ୪ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛି। ଏଥିରେ ଦଳ ଦୁଇଟିରେ ଜିତିଥିବା ବେଳେ ଦୁଇଟିରେ ହାରିଛି। ଘରୋଇ ଭାରତୀୟ ଦଳ ୨୦୧୬ ମାର୍ଚ୍ଚ ୨୩ରେ ବାଂଲାଦେଶକୁ ରୋମାଞ୍ଚକର ମୁକାବିଲାରେ ଗୋଟିଏ ରନରେ ଏବଂ ୨୦୧୭ ଫେବୃଆରୀ ୧ରେ ଇଂଲଣ୍ଡକୁ ୭୫ ରନରେ ପରାସ୍ତ କରିଥିଲା। ମାତ୍ର ଭାରତକୁ ଏହି ପଡ଼ିଆରେ ୨୦୧୨ ଡିସେମ୍ବର ୨୫ରେ ପାକିସ୍ତାନ ହାତରୁ ୫ ଓ୍ଵିକେଟ୍ ଏବଂ ୨୦୧୯ ଫେବୃଆରୀ ୨୭ରେ ଅଷ୍ଟ୍ରେଲିଆ ହାତରୁ ୭ ଓ୍ଵିକେଟରେ ପରାଜିତ ହୋଇଥିଲା। 

ଗତ ମ୍ୟାଚରେ ଭାରତ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭ୍ରମଣକାରୀ ଦ.ଆଫ୍ରିକାକୁ ମାତ୍ ଦେଇଥିଲାୋ ଯୁବ ଖେଳାଳିଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକା ଭାରତକୁ ରୋକିବାରେ ଅସମର୍ଥ ହୋଇଥିଲା। ମୋହାଲିରେ ଅଧିନାୟକ ବିରାଟ କୋହଲିଙ୍କୁ ରୋକିବାରେ ଭ୍ରମଣକାରୀ ଦଳ ପାଖରେ କୌଣସି ଜବାବ ନଥିଲା। ପୁଣି ଥରେ କୋହଲି ତୃତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦଳକୁ ସିରିଜ୍ ଜିତାଇବାକୁ ଚାହିଁବେ।

ବାରମ୍ବାର ବିଫଳ ହେଉଥିବା ପନ୍ତଙ୍କ ପାଖରେ କାଲିର ମ୍ୟାଚରେ ଭଲ ପ୍ରଦର୍ଶନ କରି ନିଜର ଲୟ ହାସଲ କରିବାର ସୁଯୋଗ ରହିଛି। ମଧ୍ୟକ୍ରମରେ ଭାରତ ପାଖରେ କୋହଲିଙ୍କ ବ୍ୟତୀତ ପ୍ରତିଭାବାନ ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡ଼େଜା ଅଛନ୍ତି।

ଭାରତୀୟ ଦଳ ପ୍ରବନ୍ଧକ ଏଥିରେ ସନ୍ତୁଷ୍ଟ ଯେ ଦ୍ରୁତ ବୋଲର ଦୀପକ ଚହର ଓ ନବଦୀପ ସାଇନି ନିୟମିତ ବୋଲର ଯଶପ୍ରୀତ ବୁମରା ଓ ଭୁବନେଶ୍ଵର କୁମାରଙ୍କ ଅନୁପସ୍ଥିତିରେ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ତରାଷ୍ଟ୍ରୀୟସ୍ତରରେ ଦୀର୍ଘ ସମୟର ଅନୁଭବ ନଥିଲେ ବି ଓ୍ଵାଶିଂଟନ ସୁନ୍ଦର, ଚହର ଓ ସାଇନି ଦେଖାଇ ଦେଇଛନ୍ତି ଯେ ଦକ୍ଷିଣ  ଆଫ୍ରିକା ଖେଳାଳିଙ୍କୁ ସେମାନେ ଚ୍ୟାଲେଞ୍ଜ ଦେଇ ପାରିବେ।

ଦଳ ଏହି ପ୍ରକାର

ଭାରତ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, କୃଣାଲ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସାଇନି। 

ଦକ୍ଷିଣ ଆଫ୍ରିକା- କ୍ଵିଣ୍ଟନ ଡି କକ(ଅଧିନାୟକ), ରିଜା ହେଣ୍ଡରିକ୍ସ, ତେମ୍ବା ବାଭୁମା, ରସି ଭାନ ଡର ହୁସେନ, ଡେଭିଡ ମିଲର, ଆଣ୍ଡିଲ ଫେହଲୁକ୍ଵାୟୋ, ଡ୍ଵେୟନ ପ୍ରିଟୋରିୟସ, ବର୍ଣ୍ଣ ଫୋର୍ଟିନ, କାଗିସୋ ରାବଡା, ଏନରିଚ୍ ନୋର୍ଟିଜ ଓ ତବରେଜ ସମ୍ପି।