Home > କ୍ରୀଡ଼ା
ଏଲଗର ଓ ଡି କକଙ୍କ ଶତକ ବଳରେ ପ୍ରତ୍ୟାବର୍ତ୍ତନ କଲା ଦକ୍ଷିଣ ଆଫ୍ରିକା
Khabar Odisha:sports--cricket--odisha-india-vs-south-africa-first-test-day-3-score-highlights-and-updates
ବିଶାଖାପାଟଣା,ଅକ୍ଟୋବର୦୪(ଖବର ଓଡ଼ିଶା):

ଓପନର ଡିନ୍ ଏଲଗର ଓ ଓ୍ଵିକେଟ୍ ରକ୍ଷକ ବ୍ୟାଟସମ୍ୟାନ କ୍ଵିଣ୍ଟନ ଡିକକଙ୍କ ଆକର୍ଷଣୀୟ ଶତକ ବଳରେ ବିଶାଖାପାଟଣାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୮ ଓ୍ଵିକେଟ୍ ହରାଇ ୩୮୫ ରନ କରିଛି। ଦଳ ଏବେ ମଧ୍ୟ ଭାରତଠୁ ୧୧୭ ରନ ପଛରେ ରହିଛି। ସେନୁରାନ ୧୨ ଓ କେଶବ ମହାରାଜା ୩ ରନ କରି ବ୍ୟାଟିଂ କରୁଛନ୍ତି। ଡିନ ଏଲଗର ୧୬୦ ରନ ଓ ଡିକକ ୧୧୧ ରନ ବଳରେ ଭ୍ରମଣକାରୀ ଦଳ ନିଜ ସ୍ଥିତି ସୁଧାରିବା ସହିତ ଫୋଲଅନ ଏଡ଼ାଇଛି। ଏହି ଦୁଇ ବ୍ୟାଟସମ୍ୟାନଙ୍କ ଶତକ ପରେ ରବି ଚନ୍ଦ୍ରନ ଅଶ୍ଵିନଙ୍କ ୫ ଓ୍ଵକେଟ୍ ବଳରେ ଭାରତ ତୃତୀୟ ଦିନର ଶେଷ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିଛି। ଏହା ପୂର୍ବରୁ ଭାରତ ୭ ଓ୍ଵିକେଟ୍ ୫୦୨ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା। 

ଦ୍ଵିତୀୟ ଦିନରେ ଦକ୍ଷିଣ ଆଫ୍ରିକା ୩୯ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ତୃତୀୟ ଦିନରେ ଶୀଘ୍ର ଅଲଆଉଟ୍ ହୋଇଯିବ। ମାତ୍ର ଡିନ୍ ଏଲଗତ ଇନିଂସକୁ ସମ୍ଭାଳିଥିଲେ ଏବଂ ଅନ୍ୟପଟୁ ତାଙ୍କୁ ପର୍ଯ୍ୟାପ୍ତ ସହଯୋଗ ମିଳିଥିଲା। ଦକ୍ଷିଣ ଆଫ୍ରିକା ୩୯/୩ରୁ ଖେଳ ଆରମ୍ଭ କରିଥିଲା। ଦିନର ପ୍ରଥମ ସେସନରେ ଇଶାନ୍ତ ଶର୍ମା ତେମ୍ବା ବଭୁମା(୧୮)ଙ୍କୁ ଆଉଟ୍ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଏହା ପରେ ଏଲଗର ଓ ଅଧିନାୟକ ଫାଫ ଡୁପ୍ଲେସିସ୍ ଇନିଂସ ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କ ମୁକାବିଲା କରି ପଞ୍ଚମ ଓ୍ଵିକେଟରେ ୧୧୫ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିଥିଲେ। ୧୭୮ ରନ ସ୍କୋରରେ ଡୁପ୍ଲେସିସଙ୍କୁ ଆଉଟ୍ କରି ଅଶ୍ଵିନ ଭାରତକୁ ବଡ଼ ସଫଳତା ଦେଇଥିଲେ। 

୧୭୮ ରନରେ ଅଧା ବ୍ୟାଟସମ୍ୟାନଙ୍କୁ ହରାଇବା ପରେ ଲାଗୁଥିଲା ଦକ୍ଷିଣ ଆଫ୍ରିକା ୩୦୦ ଭିତରେ ସୀମିତ ରହିବ। ମାତ୍ର ଡିନ ଏଲଗର ଓ ଓ୍ଵିକେଟ୍ ରକ୍ଷକ କ୍ଵିଣ୍ଟନ ଡିକକ୍ କ୍ରିଜରେ ଜମି ରହି ଦଳର ସ୍ଥିତି ସୁଧାରିବା ସହିତ ଫୋଲଅନ ଏଡ଼ାଇ ଥିଲେ। ଦ୍ଵିତୀୟ ସେସନରେ ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ନିରାଶ  କରିଥିଲେ। ଏଲଗର ଉପମହାଦ୍ଵୀପର କଡ଼ା ପରିସ୍ଥିତିର ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ୧୨ତମ ଶତକ ହାସଲ କରିଥିଲେ। ହାସିମ ଅମଲାଙ୍କ ୨୦୧୦ରେ ଶତକ ପରେ ଏଲଗର ଶତକ ହାସଲ କରିବାରେ ପ୍ରଥମ ଦକ୍ଷିଣ ଆଫ୍ରିକା ଖେଳାଳି। 

ଭାରତ ପାଇଁ କଣ୍ଟା ସାଜିଥିବା ଏହି ଯୋଡ଼ିକୁ ଭାଙ୍ଗିଥିଲେ ରବିନ୍ଦ୍ର ଜାଡ଼େଜା। ୧୬୦ ରନ କରି କ୍ରିଜରେ ଜମି ରହିଥିବା ଏଲଗରଙ୍କୁ ପାଭିଲିୟନ ପଠାଇ ଜାଡ଼େଜା ଭାରତକୁ ବହୁପ୍ରତୀକ୍ଷିତ ଷଷ୍ଠ ସଫଳତା ଦେଇଥିଲେ। ଏହା ପୂର୍ବରୁ ଏଲଗର କକଙ୍କ ସହିତ ଷଷ୍ଠ ଓ୍ଵିକେଟ୍ ପାଇଁ ୧୬୪ରନ ଯୋଡ଼ି ଦଳର ସ୍କୋରକୁ ୩୪୨ରେ ପହଞ୍ଚାଇଥିଲେ। ଏଲଗରଙ୍କ ଆଉଟ୍ ପରେ ଭାରତୀୟ ବୋଲର ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଲଗରଙ୍କ ପରେ ୩୭୦ ରନ ସ୍କୋରରେ ଡିକକ ଅଶ୍ଵିନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ କକ। ଏହା ପୂର୍ବରୁ ସେ ଦିନିକିଆ ଶୈଳୀରେ ବ୍ୟାଟିଂ କରି ପଞ୍ଚମ ଟେଷ୍ଟ ଶତକ ପୂରଣ କରିଥିଲେ। ସେ ୧୬୩ ବଲରୁ ୧୬ ଚୌକା ଓ ୨ ଛକା ବଳରେ ୧୧୧ ରନ କରିଥିଲେ। ଏହା ପରେ ଫିଲାଣ୍ଡର(୦)ଙ୍କୁ ବୋଲ୍ଡ କରି ଅଶ୍ଵିନ ପଞ୍ଚମ ସଫଳତା  ହାସଲ କରିଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ୍ ହରାଇ ୩୮୫ ରନ କରିଛି। 

ଭାରତ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ୧୨୮ ରନ ଦେଇ ୫ ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୨ ଓ ଇଶାନ୍ତ ଶର୍ମା ୧ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ୨୧୫ ରନ, ରୋହିତ ଶର୍ମାଙ୍କ ୧୭୬ ରନ ବଳରେ ୭ ଓ୍ଵିକେଟ୍ ହରାଇ  ୫୦୨ ରନରେ ପାଳି ସମାପ୍ତି ଘୋଷଣା କରିଥିଲା।