Home > କ୍ରୀଡ଼ା
ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ, ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଶୀର୍ଷରେ ମଜବୁତ ହେଲା ବିରାଟ ବାହିନୀ
Khabar Odisha:sports--cricket--odisha-india-vs-south-africa-india-bagged-40-points-after-beat-south-africa-and-continue-to-lead-the-world-test-championship-points-table
ନୂଆଦିଲ୍ଲୀ, ଅକ୍ଟୋବର ୦୬ (ଖବର ଓଡିଶା):

ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟରେ ୨୦୩ ରନରେ ପରାଜିତ କରିଛନ୍ତି। ଏହି ବିଜୟ ସହିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଭାରତକୁ ୪୦ ପଏଣ୍ଟ ମିଳିଛି। ଏହି ପଏଣ୍ଟ ସହ ଭାରତ ତିନୋଟି ମ୍ୟାଚରୁ ତିନୋଟି ବିଜୟ ସହିତ ମୋଟ୍ ୧୬୦ ପଏଣ୍ଟ ହାସଲ କରିଛି। ଏହା ସହିତ ଦଳ ଚମ୍ପିଆନସିପରେ ଶୀର୍ଷରେ ନିଜର ସ୍ଥାନ ଅଧିକ ମଜବୁତ କରିଛି। 

ଅନ୍ୟପଟେ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ଥିଲା, ଯେଉଁଥିରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ମାନ୍ୟତାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ୬୦-୬୦ ପଏଣ୍ଟ ସହିତ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଦୁଇ ଦଳ ଅଦ୍ୟାବଧି ଦୁଇ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬-୫୬ ପଏଣ୍ଟ ସହିତ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

ପ୍ରଥମ ଟେଷ୍ଟରେ ଭାରତ ୭ ଓ୍ଵିକେଟରେ ୫୦୨ ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୩୧ ରନରେ ଅଲଆଉଟ୍ ହୋଇଥିଲା। ୭୧ ରନରେ ଅଗ୍ରଣୀ ଥିବା ଭାରତ ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟରେ ୩୨୩ ରନ କରି ଇନିଂସ ଘୋଷଣା କରିବା ସହିତ ଦକ୍ଷିଣ ଆଫ୍ରିକାକୁ ୩୯୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ପିଛା କରି ଭ୍ରମଣକାରୀ ଦଳ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଭାରତ ମ୍ୟାଚକୁ ୨୦୩ ରନରେ  ଜିତି ନେଇଥିଲା।