Home > କ୍ରୀଡ଼ା
ମୟଙ୍କଙ୍କ ଚମତ୍କାର ଫର୍ମ ଜାରି, ପୁଣେରେ ଶତକ ମାରି ସେହ୍ଵାଗଙ୍କ ସହ ହେଲେ ସମକକ୍ଷ
Khabar Odisha:sports--cricket--odisha-india-vs-south-africa-mayank-agarwal-smashed-his-2nd-consecutive-hundred-2nd-indian-opener-to-do-so
ପୁଣେ,ଅକ୍ଟୋବର୧୦(ଖବର ଓଡ଼ିଶା):

ଭାରତୀୟ ଦଳର ଯୁବ ଓପନର ମୟଙ୍କ ଅଗ୍ରଓ୍ଵାଲ ପୁଣେ ଟେଷ୍ଟରେ ମଧ୍ୟ ନିଜର ଚମତ୍କାର ଫର୍ମ ଜାରି ରଖିଛନ୍ତି। ଅଗ୍ରଓ୍ଵାଲ ଏଠାରେ ଜାରି ଶୃଙ୍ଖଳାର ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ନିଜ କ୍ୟାରିୟରର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ମୟଙ୍କ ୧୮୩ ବଲରେ ଫିଲାଣ୍ଡରଙ୍କ ବଲରେ ଚୌକା ମାରି ଶତକ ପୂରଣ କରିଛନ୍ତି। ଏହାର ପୂର୍ବ ଓଭରରେ ସେ  କେଶବ ମହାରାଜଙ୍କୁ କ୍ରମାଗତ ଦୁଇଟି ବଲରେ ଦୁଇଟି ଛକା ନିଜ ସ୍କୋରକୁ ୯୯ ରନରେ ପହଞ୍ଚାଇଥିଲେ। କ୍ରମାଗତ ଦୁଇଟି ଟେଷ୍ଟରେ ଦୁଇଟି ଶତକ ମାରି ମୟଙ୍କ ପୂର୍ବତନ ଟେଷ୍ଟ ଓପନର ବୀରେନ୍ଦ୍ର ସେହ୍ଵାଗଙ୍କ ସମକକ୍ଷ ହୋଇଛନ୍ତି। ମୟଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ଵାଗ ୨୦୦୯-୧୦ରେ କ୍ରମାଗତ ଦୁଇଟି ଟେଷ୍ଟରେ ଦୁଇଟି ଶତକ ହାସଲ କରିଥିଲେ।

ପୁଣେ ଟେଷ୍ଟ ପୂର୍ବରୁ ମୟଙ୍କ ବିଶାଖାପାଟଣା ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଦ୍ଵିଶତକ ଅର୍ଜନ କରିଥିଲେ। ସେ ୨୧୫ ରନର ପାଳି ଖେଳିଥିଲେ ଏବଂ ନିଜର ପ୍ରଥମ ଟେଷ୍ଟ ଶତକକୁ ଦ୍ଵିଶତକରେ ପରିଣତ କରିଥିଲେ। ଗୁରୁବାର ଏଠାରେ ବ୍ୟାଟିଂ କରିବା ଓହ୍ଲାଇଥିବା ମୟଙ୍କ ଆରମ୍ଭରୁ ଆତ୍ମ ବିଶ୍ଵାସର ବ୍ୟାଟିଂ କରିଥିଲେ। ଦିନର ପ୍ରଥମ ଦୁଇଟି ସେସନରେ ସେ ୮୬ ରନ କରିଥିଲେ ଏବଂ ତୃତୀୟ ସେସନରେ କେବଳ ୧୩ଟି ବଲ ଖେଳି ନିଜର ଏହି ଶତକ ପୂରା କରିଥିଲେ। 

ଏହି ଶତକରେ ସେ ୧୬ଟି ଚୌକା ଓ ୨ ଛକା ମାରିଥିଲେ। ମାତ୍ର ଶତକ ପରେ ସେ ନିଜ ପାଳିକୁ ଆଗକୁ ନେଇ ପାରିନଥିଲେ ଏବଂ କାଗିସୋ ରାବଡ଼ାଙ୍କ ବଲରେ ଆଉଟ୍  ହୋଇ ପାଭିଲିୟନ ଫେରିଥିଲେ। ଚଳିତ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ଓପନରଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ଶତକ।