Home > କ୍ରୀଡ଼ା
ସତର୍କତା ସହିତ ଆକ୍ରମଣାତ୍ମକ ବ୍ୟାଟିଂ କରିବା ହିଁ ମୋର ସ୍ଵଭାବ: ରୋହିତ ଶର୍ମା
Khabar Odisha:sports--cricket--odisha-india-vs-south-africa-to-mix-caution-with-aggression-is-my-game-says-rohit-sharma
ବିଶାଖାପାଟଣା, ଅକ୍ଟୋବର ୦୬ (ଖବର ଓଡିଶା):

ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିଛି। ଭାରତର ଏହି ବିଜୟରେ ହିରୋ ସାଜିଛନ୍ତି ରୋହିତ ଶର୍ମା। ସେ ଓପନର ଭାବେ ନିଜର ପ୍ରଥମ ଟେଷ୍ଟ ଉଭୟ ଇନିଂସରେ ଶତକ ଅର୍ଜନ କରିଛନ୍ତି। ଏହି ଦମଦାର ପ୍ରଦର୍ଶନ ପାଇଁ ରୋହିତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ନିଜର ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ଓପନିଂ କରିଥିବା ରୋହିତ ଶର୍ମା କହିଛନ୍ତି ଯେ, ସତର୍କତା ସହିତ ଆକ୍ରମଣାତ୍ମକକୁ ମିଶ୍ରିତ କରି ଖେଳିବା ହିଁ ମୋର ସ୍ଵଭାବ।  

ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ରୋହିତ କହିଛନ୍ତି ଯେ, ମୁଁ କେବଳ ତାହା କରିବାକୁ ଚାହୁଁଥିଲି ଯାହା ମୋ ପାଇଁ ଉପଯୋଗି। ବ୍ୟାଟିଂରେ ଉପର କ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବା ମୋ ପାଇଁ ସବୁଠୁ ଭଲ ସୁଯୋଗ ଥିଲା। ଏହି ସୁଯୋଗ ଦେଇଥିବାରୁ ମୁଁ ଦଳ ପ୍ରବନ୍ଧକ ପାଖରେ କୃତଜ୍ଞ। ମୁଁ ଏହା ପୂର୍ବରୁ କେବେ ବି ଟେଷ୍ଟରେ ଓପନିଂ କରି ନାହିଁ। 

ରୋହିତ କହିଛନ୍ତି ଯେ, ପ୍ରାୟ ଦୁଇ ବର୍ଷ ପୂର୍ବେ ମୋତେ କୁହାଯାଇଥିଲା ଯେ କୌଣସି ସମୟରେ ବି ମୋତେ ଓପନିଂ ପାଇଁ ସୁଯୋଗ ମିଳିବ। ଏହା ପରଠୁ ମୁଁ ନେଟରେ ନୂତନ ବଲରେ ଅଭ୍ୟାସ୍ କରୁଥିଲି। ଏହା କୌଣସି ପ୍ରସଙ୍ଗ ନୁହଁ ଯେ ଆପଣ କେଉଁ ବଲରେ ଖେଳୁଛନ୍ତି, ସେ ଲାଲ ବଲ ହେଉ ବା ଧଳା ବଲ ହେଉ।  ଆରମ୍ଭରୁ ଆପଣଙ୍କୁ ସତର୍କତା ସହ ଖେଳିବାକୁ ପଡ଼ିଥାଏ।

ରୋହିତ ଓପନର ଭାବେ ପ୍ରଥମ ସଫଳତା ବିଷୟରେ କହିଛନ୍ତି ଯ, ସଫଳତାର ଗୋଟିଏ ମନ୍ତ୍ର ହେଉଛି ଅଫ ଷ୍ଟମ୍ପରୁ ବାହାରକୁ ଯାଉଥିବା ବଲ ଛାଡ଼ି ଦିଆଯାଉ ଏବଂ ଯେତେ ସମ୍ଭବ ନିଜ ଶରୀର ନିକଟ ଦେଇ ଯାଉଥିବା ବଲକୁ ଖେଳାଯାଉ। ଆରମ୍ଭରୁ ମଧ୍ୟ ମୋର ଏହା ହିଁ କାମ ଥିଲା। ଦଳ ପ୍ରବନ୍ଧକ ମୋଠୁ ଏହା ହିଁ ଆଶା ରଖୁଥିଲେ ଏବଂ ମୁଁ ସେଇଆ ହିଁ କରିଛି।

ସତର୍କତା ସହିତ ନିଜ ଖେଳରେ ଆକ୍ରମଣାତ୍ମକ ମିଶ୍ରଣ କରିବା ହିଁ ମୋର ସ୍ଵାଭାବିକ ଖେଳ। ଏହା ପରିସ୍ଥିତି ଉପରେ ନିର୍ଭର କରେ ଯେ କେଉଁ ଅବସ୍ଥାରେ ଆପଣ ବ୍ୟାଟିଂ କରୁଛନ୍ତି। ଏହି ଟେଷ୍ଟରେ ଅନେକ ରେକର୍ଡ ନିଜ ନାମରେ କରିଥିବା ରୋହିତ କହିଛନ୍ତି ଯେ, ଏହି ଟେଷ୍ଟରେ ଅନେକ ରେକର୍ଡ ହୋଇଛି, ଯାହା ବିଷୟରେ ମୋତେ ଜଣା ନାହିଁ। ମୋର ଧ୍ୟାନ କେବଳ ଖେଳ ଉପଭୋଗ କରି ଦଳକୁ ମଜବୁତ ସ୍ଥିତିକୁ ନେବାର ଥିଲା।