Home > କ୍ରୀଡ଼ା
କାଲି ଦ୍ଵିତୀୟ ଟି-୨୦, ଶୃଙ୍ଖଳା ବିଜୟ ଉପରେ ଭାରତର ନଜର
Khabar Odisha:sports--cricket--odisha-india-vs-west-indies-2nd-t2oi-match-preview
ତିରୁଅନନ୍ତପୁରମ, ଡିସେମ୍ବର୦୭(ଖବର ଓଡ଼ିଶା):

 ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଭାରତୀୟ ଦଳ ରବିବାର ଏଠାରେ ଗ୍ରୀନଫିଲ୍ଡ ଅନ୍ତରାଷ୍ଟ୍ରୀୟ ଷ୍ଟାଡ଼ିୟମରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ଵିତୀୟ ମୁକାବିଲା ଖେଳିବ। ଏହି ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟ ନେଇ ଘରୋଇ ଭାରତ ପଡ଼ିଆକୁ ଓହ୍ଲାଉଥିବା ବେଳେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ଏହି ମୁକାବିଲା ଜିତି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ।

ଭାରତ ଶୁକ୍ରବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ ରନର ବିସ୍ଫୋରକ ପାଳି ଦମରେ ଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୦୮ ରନର ବିଶାଳ ଲକ୍ଷ୍ୟକୁ ଭାରତ ସହଜରେ ପିଛା କରିଥିଲା। ଟି-୨୦ରେ ଲକ୍ଷ୍ୟ ପିଛା କରିବାରେ ଏହା ହେଉଛି ଭାରତର ସବୁଠୁ ବଡ଼ ବିଜୟ। ଦଳର ଏହି ବିଜୟରେ କୋହଲିଙ୍କ ବ୍ୟତୀତ ଲୋକେଶ ରାହୁଲ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ରାହୁଲ ୬୨ ରନର ଦମଦାର ପାଳି ଖେଳିଥିଲେ। 

ଦଳ ବ୍ୟାଟିଂରେ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରେ କୋହଲି ଓ ଦଳ ପ୍ରବନ୍ଧକ ନିଶ୍ଚୟ ଖୁସି ହେବେ ଏବଂ ଚାହିଁବେ ଯେ ଆଗାମୀ ମ୍ୟାଚରେ ମଧ୍ୟ ବ୍ୟାଟସମ୍ୟାନ ଏମିତି ସଫଳତା ଦୋହରାନ୍ତୁ। ମାତ୍ର ଦଳକୁ ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କାରଣ ଗତ ମ୍ୟାଚରେ ବୋଲର ମହଙ୍ଗା ସାବ୍ୟସ୍ତ ହେବା ସହ ଫିଲ୍ଡିଂରେ ମଧ୍ୟ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚରେ ଭାରତ ଅନେକ କ୍ୟାଚ୍ ହାତଛଡ଼ା କରିଥିଲା। ଯାହାର ଫାଇଦା ଉଠାଇ ଇଣ୍ଡିଜ ବ୍ୟାଟସମ୍ୟାନ ୨୦୭ ରନର ବିଶାଳ ସ୍କୋର କରିପାରିଥିଲେ।

ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ ଦଳ ଏହି ମ୍ୟାଚ୍ ଜିତି  ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ। ଆଫଗାନିସ୍ତାନଠୁ ୧-୨ରେ ଶୃଙ୍ଖଳା ହାରିବା ପରେ ବିଶ୍ଵ ଚମ୍ପିଆନ ଇଣ୍ଡିଜ ଆଉ ଏକ ଶୃଙ୍ଖଳା ହାରିବାକୁ ଚାହିଁବ ନାହିଁ। ପ୍ରଥମ ମ୍ୟାଚରେ ଦଳର ବୋଲିଂ ପ୍ରଭାବହୀନ ରହିଥିଲା, ଫଳରେ ଦଳ ୨୦୭ ରନ ସ୍କୋରକୁ ମଧ୍ୟ ବଞ୍ଚାଇ ପାରି ନାହିଁ। ଦଳ ଅତିରିକ୍ତ ୨୩ ରନ ବ୍ୟୟ କରିଥିଲା। ଯାହା ପରାଜୟର ବଡ଼ କାରଣ ଥିଲା ବୋଲି ପୋଲାର୍ଡ କହିଛନ୍ତି।

ବ୍ୟାଟିଂରେ ଦଳ ପୁଣି ଥରେ ସିମରନ ହେଟମାୟରଙ୍କଠୁ ଆଉ ଏକ ଅର୍ଦ୍ଧଶତକୀୟ ପାଳି ଆଶା କରିବ। ସେହି ପରି ଅଧିନାୟକ କିରଣ ପୋଲାର୍ଡ ଓ ଏଭିନ ଲୁଇସଙ୍କ ପରି ବ୍ୟାଟସମ୍ୟାନ ବ୍ୟାଟରେ ଦଳ ପାଇଁ ଯୋଗ ଦାନ ଦେବାକୁ ଚାହିଁବେ। ପ୍ରଥମ ମ୍ୟାଚରେ ହେଟମାୟର ୫୬, ଲୁଇସ୍ ୪୦ ଓ ପୋଲାର୍ଡ ୩୭ ରନର ବିସ୍ଫୋରକ ପାଳି ଖେଳିଥିଲେ। 

ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ଵର କୁମାର।

ଓ୍ଵେଷ୍ଟଇଣ୍ଡିଜ ଦଳ

କିରଣ ପୋଲାର୍ଡ(ଅଧିନାୟକ), ଫାବିୟନ ଏଲନ, ସେଲଡ୍ରନ କଟ୍ରେଲ, ସିମରନ ହେଟମାୟର, ଜାସନ ହୋଲଡର, ବ୍ରେଣ୍ଡନ କିଙ୍ଗ, ଏଭିନ ଲୁଇସ୍, କିମୋ ପଲ, ନିକୋଲାସ ପୁରମ, ଖାରି ପିଏରେ, ଦିନେଶ ରାମଦିନ, ସେରଫାନେ ରଦରଫୋର୍ଡ, ଲେଣ୍ଡଲ ସିମନ୍ସ, ହେଡନ ଓ୍ଵାଲ୍ସ ଜୁନିୟର, କିସରିକ ଓ୍ଵିଲିୟମ୍ସ।