Home > କ୍ରୀଡ଼ା
ଓ୍ଵେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ଭାରତକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଏହି ତାରକା ଖେଳାଳି
Khabar Odisha:sports--cricket--odisha-injured-bhuvneshwar-exits-odi-series-against-west-indies
ଚେନ୍ନାଇ, ଡିସେମ୍ବର୧୩(ଖବର ଓଡ଼ିଶା):

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ  ଡିସେମ୍ବର ୧୫ରୁ ଆରମ୍ଭ  ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଭୁବନେଶ୍ଵର କୁମାର ଆଘାତ କାରଣରୁ ଶୃଙ୍ଖଳାରୁ ବାହାର ହୋଇ ଯାଇଛନ୍ତି।  ତାଙ୍କ ସ୍ଥାନରେ ମୁମ୍ଵାଇର ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ଦଳରେ ସାମିଲ କରାଯାଇଛି। 

ଭୁବନେଶ୍ଵର କୁମାର ବୁଧବାର ସମାପ୍ତ ହୋଇଥିବା ଟି-୨୦ ଶୃଙ୍ଖଳା ସମୟରେ ଆହତ ହୋଇଥିଲେ। ବିସିସିଆଇ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ଵର ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି ଏବଂ ଶାର୍ଦ୍ଦୁଳଙ୍କୁ ଦଳରେ ସ୍ଥାନ ଦିଆଯାଇଛି। 

ଶାର୍ଦ୍ଦୁଳ ବାଂଲାଦେଶ ବିପକ୍ଷ ଟି-୨୦ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳାରେ ଦଳରେ ଥିଲେ  ଏବଂ ଗୁରୁବାର ବରୋଦା ବିପକ୍ଷ ରଣଜୀ ମ୍ୟାଚରେ ମୁମ୍ବାଇର ପ୍ରତିନିଧିତ୍ଵ କରିଥିଲେ। ଭୁବନେଶ୍ଵର ଆହତ ବିଷୟରେ ପୂରା ସୂଚନା ମିଳିନଥିଲେ ବି କୁହାଯାଉଛି ଯେ, ତାଙ୍କର ଜଙ୍ଘର ମାଂସପେଶୀ ଟାଣି ଧରିଛି। 

ଭୁବନେଶ୍ଵର ଆଘାତଜନିତ ସମସ୍ୟାରୁ ମୁକୁଳି  କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସେ ପ୍ରଥମ ଦୁଇଟି ମ୍ୟାଚରେ ୩୬-୩୬ ରନ ଦେଇଥିବା ବେଳେ ତୃତୀୟ ଟି-୨୦ରେ ଚାରି ଓଭରରେ ୪୧ ରନ ଦେଇ ଦୁଇଟି ଓ୍ଵିକେଟ୍ ନେଇଥିଲେ। 

ଗତ ବର୍ଷ ଆଇପିଏଲରେ ଆହାତଜନିତ ସମସ୍ୟା କାରଣରୁ ଭୁବନେଶ୍ଵର ବିଶ୍ଵକପ୍ ସମୟରେ ପାକିସ୍ତାନ ବିପକ୍ଷ ମାଞ୍ଚେଷ୍ଟର ମ୍ୟାଚରେ ୨.୪ ଓଭର ବୋଲିଂ କରିବା ପରେ ମାଂସପେଶୀ ଟାଣି ଧରିବାରୁ ଅଧା ଖେଳରୁ ପାଭିଲିୟନ ଫେରି ଯାଇଥିଲେ। ଏହା ପରେ ସେମି ଫାଇନାଲରେ ଦଳକୁ ଫେରିଥିଲେ। ପୁଣି ସେ ଅଗଷ୍ଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ଆହତ ହୋଇଥିଲେ।