Home > କ୍ରୀଡ଼ା
ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୪୦୦ ଛକା, ଗେଲ୍-ଆଫ୍ରିଦିଙ୍କ ଖାସ୍ କ୍ଲବରେ ସାମିଲ ହେଲେ ରୋହିତ
Khabar Odisha:sports--cricket--odisha-rohit-sharma-becomes-first-indian-cricketer-to-hit-400-international-sixes
ମୁମ୍ବାଇ, ଡିସେମ୍ବର୧୧(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ଉପ ଅଧିନାୟକ ତଥା ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ବୁଧବାର ଆଉ ଏକ ବଡ଼ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି। ରୋହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦୦ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ବିଶ୍ଵର ତୃତୀୟ କ୍ରିକେଟର। ରୋହିତଙ୍କ ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସଗେଲ୍ ଓ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଖେଳାଳି ସାହିଦ ଆଫ୍ରିଦି ଏହି ଉପଲବ୍ଧି ହାସଲ କରିଛନ୍ତି। ଗେଲ୍ ଅଦ୍ୟାବଧି ମୋଟ୍ ୪୬୨ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ୫୩୪ ଛକା  ଓ ସାହିଦ ଆଫ୍ରିଦି ୫୨୪ ମ୍ୟାଚ୍ ଖେଳି ୪୭୬ ଛକା ମାରିଛନ୍ତି।

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୩୫୪ତମ ମ୍ୟାଚରେ ୩୬୦ଟି ପାଳିରୁ ରୋହିତ ୪୦୦ ଛକା ମାରିଛନ୍ତି। ରୋହିତ ଏ ପର୍ୟ୍ୟ୍ନ୍ତ ୫୨ଟି ଟେଷ୍ଟ, ୨୧୮ ଦିନିକିଆ ଓ ୧୦୩ ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲା ଖେଳି ସାରିଛନ୍ତି। ନିଜର ୧୦୪ତମ ଅନ୍ତରାଷ୍ଟ୍ରୀୟ ଟି-୨୦ ଖେଳୁଥିବା ରୋହିତ ସେଲଡ୍ରନ କୋଟ୍ରେଲଙ୍କ ବଲରେ ଛକା ମାରି ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି।

ସର୍ବାଧିକ ଅନ୍ତରାଷ୍ଟ୍ରୀୟ ଛକା ମାମଲାରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ ୩୯୮ ଛକା ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତ ପାଇଁ ସର୍ବାଧିକ ଛକା  ମାରିବା ମାମଲାରେ ରୋହିତଙ୍କ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ରହିଛି। ଧୋନୀ ୫୩୮ଟି ମ୍ୟାଚରୁ ୩୫୯ଟି ଛକା ମାରିଛନ୍ତି। ସଚିନ ତେନ୍ଦୁଲକର ଭାରତୀୟ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୬୬୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ୨୬୪ଟି ଛକା ମାରିଛନ୍ତି।