Home > କ୍ରୀଡ଼ା
ନେପାଳ ମହିଳା କ୍ରିକେଟରଙ୍କ କମାଲ, ୨ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୧ ରନ ଦେଇ ନେଲେ ୧୦ ଓ୍ଵିକେଟ୍
Khabar Odisha:sports--cricket--odisha-south-asian-games-women-cricket-nepal-anjali-chand-took-10-wickets-in-2-matches-for-a-ru
ନୂଆଦିଲ୍ଲୀ, ଡିସେମ୍ବର୦୭(ଖବର ଓଡ଼ିଶା):

 କ୍ରିକେଟ୍ ସର୍ବଦା ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେ ବେଳେ କେଉଁ ରେକର୍ଡ଼ ହୋଇଯିବ ତାହା କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦଳର ୧୦ ବ୍ୟାଟସମ୍ୟାନ କୌଣସି ରନ ହିଁ କରି ପାରି ନାହାନ୍ତି, ମାତ୍ର ଏମିତି ଶନିବାର ଦେଖିବାକୁ ମିଳିଛି। ମାଳଦ୍ଵୀପ ମହିଳା ଦଳର ୧୦ ବ୍ୟାଟସମ୍ୟାନ କୌଣସି ରନ ନକରି ପାଭିଲିୟନ ଫେରିଛନ୍ତି। ଦଳର ଓପନର ଏମାନ ୧ ରନ କରିଥିବା ବେଳେ ଅତିରିକ୍ତ ୭ ରନ ମିଳିଥିଲା।

ଦକ୍ଷିଣ ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ହୋଇଥିବା ପ୍ଲେଅଫ ମୁକାବିଲାରେ ନେପାଳ ବିପକ୍ଷରେ ମାଳଦ୍ଵୀପ ଦଳ ୧୧.୩ ଓଭରରେ ୮ ରନରେ ଅଲଆଉଟ୍ ହୋଇଛି। ମାଳଦ୍ଵୀପର ଏହି ବିପର୍ୟ୍ୟଷୟର କାରଣ ନେପାଳ  ବୋଲର ଅଞ୍ଜଳୀ ଚାନ୍ଦଙ୍କ ଘାତକ ବୋଲିଂ ରହିଛି। ସେ ୪ ଓଭରରେ ୩ ମେଡେନ ଓ କେବଳ ୧ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି।

ନେପାଳର ମହିଳା କ୍ରିକେଟ୍ ଦଳ ୭ଟି ବଲରେ ହିଁ ଲକ୍ଷ୍ୟ ହାସଲ କରି ନେଇଛି। ଓପନର କାଜଲ ଶ୍ରେଷ୍ଠ ଅପରାଜିତ ୨ ଓ ରୋମା ଥାପା ଅପରାଜିତ ୫ ରନ କରିଛନ୍ତି। ଅଞ୍ଜଳୀ ଚାନ୍ଦ ଏହି ମ୍ୟାଚରେ ୨ ବ୍ୟାଟସମ୍ୟାନଙ୍କୁ ବୋଲ୍ଡ, ଜଣଙ୍କୁ କ୍ୟାଚ୍ ଓ ଜଣଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଛନ୍ତି।

ଖାସ୍ କଥା ଏହା ଯେ, ଅଞ୍ଜଳୀଙ୍କ କ୍ୟାରିୟରର ଏହା ହେଉଛି ଦ୍ଵିତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍। ତାଙ୍କ ନାମରେ ଏବେ ୨ଟି ମ୍ୟାଚରେ ମୋଟ୍ ୧୦ ଓ୍ଵିକେଟ୍ ରହିଛି। ପ୍ରଥମ ମ୍ୟାଚରେ ସେହି ମାଳଦ୍ଵୀପ ଦଳ ବିପକ୍ଷରେ ୦ ରନ ଦେଇ ୬ ଓ୍ଵିକେଟ୍ ନେଇଥିବା ଅଞ୍ଜଳୀ ଦ୍ଵିତୀୟ ମ୍ୟାଚରେ ୧ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି।