Home > କ୍ରୀଡ଼ା
ବାରବାଟୀ ଲଢ଼େଇ, ୨୦ ଓ ୨୧ ତାରିଖରେ ଭାରତୀୟ କ୍ରିକେଟ୍ ଦଳର ଅଭ୍ୟାସ୍ ଅଧିବେଶନ
Khabar Odisha:sports--cricket--odisha-team-india-practice-session-20-and-21-november-in-barabati-stadium
କଟକ, ଡିସେମ୍ଵର୦୯(ଖବର ଓଡ଼ିଶା):

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମୁକାବିଲା ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ସେ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଢ଼େଇ ବର୍ଷ ପରେ ଷ୍ଟାଡିୟମରେ ବସି କ୍ରିକେଟର ମଜା ନେବାକୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଅନଲାଇନରେ ଉଦ୍ଦିଷ୍ଟ ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ଦୁଇ ଦଳର ଖେଳାଳି ଡିସେମ୍ବର ୧୮ରେ ବିଶାଖାପାଟଣାରେ ମ୍ୟାଚ୍ ପରେ ୧୯ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ। ମ୍ୟାଚ୍ ପୂର୍ବରୁ ଦୁଇ ଦଳର ଖେଳାଳି ବାରବାଟୀ ଷ୍ଟାଡ଼ିୟମରେ ଅଭ୍ୟାସ୍ କରିବେ।

ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସୂଚନା ଅନୁଯାୟୀ,  ୨୦ ଓ ୨୧ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ନେଟ୍ ପ୍ରାକ୍ଟିସ୍ ରହିଛି। ଉଭୟ ଦଳ ଭୁବନେଶ୍ଵର ମେ ଫେୟାର ହୋଟେଲରୁ ସ୍ଵତନ୍ତ୍ର ବସରେ କଟକ ବାରବାଟୀ ଷ୍ଟାଡ଼ିୟମ ଯିବେ।  ୨୦ ତାରିଖରେ ଭାରତୀୟ ଦଳ ଅଭ୍ୟାସ ଅପରାହ୍ନ ୨ଟାରେ ଥିବା ବେଳେ ଓ୍ଵେଷ୍ଟଇଣ୍ଡିଜର ଅଭ୍ୟାସ୍ ଅଧିବେଶନ ସନ୍ଧ୍ୟା ୫ଟାରେ  ରହିଛି। ସେହି ପରି ୨୧ ତାରିଖରେ ଭାରତୀୟ ଦଳର ଅଭ୍ୟାସ୍ ଅଧିବେଶନ ସନ୍ଧ୍ୟା ୫ଟାରେ ଥିବା ବେଳେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜର ଅଭ୍ୟାସ୍ ଅଧିବେଶନ ମଧ୍ୟାହ୍ନ ୧୨ଟାରେ ରହିଛି।

ମ୍ୟାଚ୍ ଦିନ ଷ୍ଟାଡିୟମର ଗ୍ୟାଲେରୀ ଗେଟ୍ ୯ଟା ୩୦ରେ ଖୋଲିବ। ମ୍ୟାଚ୍ ଅପରାହ୍ନ ୨ଟା ୩୦ରେ ଆମ୍ଭ ହେବ। ମ୍ୟାଚ୍ ପାଇଁ ଡିସେମ୍ବର ୧୬ ସୁଦ୍ଧା  ଷ୍ଟାଡିଅମର ସମସ୍ତ ମରାମତି କାମ ଶେଷ ହୋଇଯିବ। ଏବେ ଷ୍ଟାଡ଼ିୟମରେ ପିଚ୍, ଆଉଟ୍ ଫିଲ୍ଡ ଓ ଗ୍ୟାଲେରୀରେ  ନମ୍ବରିଂ କାମ ଜୋରସୋରରେ ଚାଲିଛି। ଏଥର ।  ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ କାଉଣ୍ଟର ଟିକେଟ ମିଳିବ । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଥର ୪ଟି ପରିବର୍ତ୍ତେ ଏଥର ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ ।  କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏର ପକ୍ଷରୁ ସୂଚନା ଦିଆଯାଇଛି। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଲାଗିବ ପୂରା ଟିକେଟ। ସକାଳ ୭ଟା ପୂର୍ବରୁ ଟିକେଟ ପାଇଁ ଧାଡ଼ି କରିବାକୁ ଦିଆଯିବ ନାହିଁ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। 

ନଭେମ୍ବର ୫ରେ ଅନଲାଇନରେ ଟିକେଟ ବିକ୍ରି ସରିଛି । ସେମାନେ ୧୯ ରୁ ୨୧ ତାରିଖରେ କଟକ ସ୍ଥିତ କେମ୍ଵ୍ରିଜ ବିଦ୍ୟାଳୟରୁ ଟିକେଟ୍ ସଂଗ୍ରହ କରି ପାରିବେ। ଅଫଲାଇନରେ ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ମିଳିବ । କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ । ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ ।