Home > କ୍ରୀଡ଼ା
ଏହି ବ୍ୟାଟସମ୍ୟାନ ହରାଇବେ ନିଜର ସ୍ଥାନ, ରୋହିତଙ୍କୁ ମିଳିପାରେ ସୁଯୋଗ
Khabar Odisha:sports-cricket-odisha-rahuls-form-an-issue-may-consider-rohit-as-test-opener-msk-prasad
ନୂଆଦିଲ୍ଲୀ,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

ଚୟନ କମିଟିର ଅଧ୍ୟକ୍ଷ ଏମଏସକେ ପ୍ରସାଦ ସଙ୍କେତ ଦେଇଛନ୍ତି ଯେ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ ଦଳରେ ଓପନର ଭାବେ ସୁଯୋଗ ମିଳିପାରେ। ଅନ୍ୟପଟେ ଲୋକେଶ ରାହୁଲଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି।

ଭାରତୀୟ ଏକଦିବସୀୟ ଦଳର  ଅଧିନାୟକ ରୋହିତ ଶର୍ମା ଗତ କିଛି ସମୟ ହେବ ଚମତ୍କାର ଫର୍ମରେ ଅଛନ୍ତି। ଏହା ପରେ ବି ଦଳରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନଥିଲା। ରୋହିଶ ଶର୍ମା ସାଧାରଣତଃ ଟେଷ୍ଟ କ୍ରିକେଟରେ ଜଣେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଭାବେ ଖେଳନ୍ତି। କିନ୍ତୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ସଫଳତା ପରେ ସମ୍ଭାବନା ଏହା ଯେ ରୋହିତଙ୍କୁ ଓପନିଂ ରୂପେ ଦଳରେ ସୁଯୋଗ ମିଳିପାରେ। 

ପ୍ରସାଦ କହିଛନ୍ତି ଯେ, ଚୟନ ସମିତିର ସଦସ୍ୟ ଭାବେ ଆମେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ସାକ୍ଷାତ କରି ନାହୁଁ। ଯେବେ ଆମେ ବୈଠକ କରିବୁ ନିଶ୍ଚିତ ରୂପେ ରୋହିତଙ୍କୁ ଦଳରେ ସୁଯୋଗ ଦେବା ନେଇ ବିଚାର କରିବୁ।

ସେ କହିଛନ୍ତି ଯେ ରାହୁଲ ବହୁତ ପ୍ରତିଭାବାନ ଖେଳାଳି। ଏବେ ସେ ଟେଷ୍ଟ କ୍ରିକେଟରେ ଏକ ମୁସ୍କିଲ ସମୟ ଦେଇ ଗତି କରୁଛନ୍ତି। ନିଶ୍ଚିତ ରୂପେ ଆମେ ତାଙ୍କର ଫର୍ମକୁ ନେଇ ଚିନ୍ତିତ ଅଛୁ। ତାଙ୍କୁ ଓ୍ଵିକେଟରେ ଅଧିକ ସମୟ ବିତାଇବାକୁ ପଡ଼ିବ ଏବଂ ନିଜର ଫର୍ମ ପୁନର୍ବାର ହାସଲ କରିବାକୁ ପଡ଼ିବ। 

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲ ୧୩, ୦୬, ୪୪ ଓ ୩୮ ରନର ଇନିଂସ ଖେଳିଥିଲେ। ଅନ୍ୟପକ୍ଷେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ଏବଂ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ପାଇଁ ଟି-୨୦ ଦଳରେ ସ୍ଥାନ ନଦେବା ଉପରେ ପ୍ରସାଦ କହିଛନ୍ତି ଯେ, ଏହି ଦୁଇ ବୋଲର ଆସନ୍ତା  ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପାଇଁ ଦଳର ଯୋଜନାର ଅଂଶ ଅଛନ୍ତି। 

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୧୫ରେ ଧର୍ମଶାଳାରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ରାହୁଲ ଚହର ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏହି ଦୁଇ ସ୍ପିନର ଗତ ମାସରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିଥିଲେ।