Home > କ୍ରୀଡ଼ା
ବଢିଲା ଶାସ୍ତ୍ରୀଙ୍କ ଦରମା, ବିରାଟଙ୍କଠୁ ମଧ୍ୟ ଅଧିକ ପାଇବେ
Khabar Odisha:sports-cricket-odisha-team-india-head-coach-ravi-shastri-set-to-get-a-massive-salary-hike-in-new-bcci-contract
ମୁମ୍ବାଇ,ସେପ୍ଟେମ୍ବର୦୯(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟକୋଚ୍  ରବି ଶାସ୍ତ୍ରୀଙ୍କ ଚୁକ୍ତି ମିଆଦ ୨୦୨୧ ପର୍ଯ୍ୟନ୍ତ  ବୃଦ୍ଧି ଘଟିଛି। ଏହା ସହିତ ତାଙ୍କର ପାଉଣାରେ ମଧ୍ୟ ବୃଦ୍ଧି ଘଟିବ।  ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସୂତ୍ର ମୁତାବକ ଶାସ୍ତ୍ରୀଙ୍କ ବାର୍ଷିକ ପାଉଣା ପ୍ରାୟ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କୁହାଯାଉଛି ଯେ ଶାସ୍ତ୍ରୀଙ୍କ ଦରମାରେ ୨୦ ପ୍ରତିଶତ ବୃଦ୍ଧି ଘଟିପାରେ। ଏହା ପରେ ତାଙ୍କର ଦରମା ୯.୫ କୋଟିରୁ ୧୦ କୋଟି ଟଙ୍କା ହୋଇଯିବ। 

ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ନିକଟରେ ସାକ୍ଷାତକାର ହୋଇଥିଲା ଓ ପୁଣି ଥରେ ଶାସ୍ତ୍ରୀଙ୍କୁ କୋଚ ପଦରେ ପୁନଃ ଅବସ୍ଥାପିତ କରାଯାଇଥିଲା। ଏବେ ଶାସ୍ତ୍ରୀଙ୍କ ଚୁକ୍ତି ମିଆଦ ବଢିବା ସହିତ ଦରମା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇପାରେ। ଏହା ଉପରେ ବୋର୍ଡ ମଧ୍ୟ ରାଜି ହୋଇଛି। 

ରିପୋର୍ଟ ମୁତାବକ ଦରମା ବଢିବା ପରେ ଶାସ୍ତ୍ରୀ ୯.୫ କୋଟିରୁ ୧୦ କୋଟି ଟଙ୍କା ପାଇବେ।  ଏହା ପୂର୍ବରୁ ବିସିସିଆଇ କଣ୍ଟ୍ରାକ୍ଟ ଅନୁସାରେ କୋଚ୍ ଶାସ୍ତ୍ରୀଙ୍କୁ ବାର୍ଷିକ ୮ କୋଟି ଟଙ୍କା ଦିଆଯାଉଥିଲା। ଏଥିସହ ସହାୟକ କୋଚିଂ କର୍ମୀଙ୍କ ମଧ୍ୟ ଦରମାରେ ବୃଦ୍ଧି ଘଟିଛି। ବୋଲିଂ କୋଚ୍ ଭରତ ଅରୁଣ ନିଜର ପଦ ବଜାୟ ରଖିଛନ୍ତି ଏବଂ ବାର୍ଷିକ ତାଙ୍କୁ ୩.୫ କୋଟି ଟଙ୍କା ଦରମା ମିଳିବ। କେବଳ ଏତିକି ନୁହେଁ ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ଦରମା ମଧ୍ୟ ବଢିଛି। ଭାରତୀୟ ଦଳର ନୂତନ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ଦରମା ୨.୫ କୋଟିରୁ ୩ କୋଟି ରହିବ। ନୂତନ ଚୁକ୍ତି ମିଆଦ ସେପ୍ଟେମ୍ବର ୧ରୁ ଲାଗୁ ହୋଇ ସାରିଛି। 

ଉଲ୍ଲେଖନୀୟ ରବି ଶାସ୍ତ୍ରୀଙ୍କୁ ଦଳର ଅଧିନାୟକ ବିରାଟ କୋହଲିଙ୍କଠୁ ଅଧିକ ଦରମା ମିଳିବ। ବିସିସିଆଇର ଚୁକ୍ତି ମୁତାବକ ଅଧିନାୟକ କୋହଲିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି। ବୋର୍ଡର ବର୍ତ୍ତମାନ ଚୁକ୍ତି ଅନୁସାରେ ବିରାଟ, ରୋହିତ ଓ ଯଶପ୍ରୀତ ବୁମରା ଏ+ କାଟାଗୋରୀରେ ସାମିଲ। ବିରାଟଙ୍କ ସହିତ ରୋହିତ ଓ ବୁମରାଙ୍କୁ ମଧ୍ୟ ୭ କୋଟି ଟଙ୍କା ମିଳୁଛି।