Home > କ୍ରୀଡ଼ା
ପାକିସ୍ତାନକୁ ଲାଗିଲା ଜୋରଦାର ଝଟକା, ଗସ୍ତରେ ଯିବାକୁ ମନା କଲେ ଶ୍ରୀଲଙ୍କା ଖେଳାଳି
Khabar Odisha:sports-cricket-odisha-ten-sri-lankan-players-including-malinga-mathews-boycott-tour-of-pakistan
କଲୋମ୍ବୋ, ସେପ୍ଟେମ୍ବର୦୯(ଖବର ଓଡ଼ିଶା):

ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଫେରିବା ନେଇ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା। ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତ କରି ସିରିଜ୍ ଖେଳିବାକୁ ରାଜି ହୋଇଥିଲେ ମାତ୍ର ଏବେ ଦଳର ପ୍ରମୁଖ ୧୦ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ  ପାକିସ୍ତାନ ଯିବାକୁ ମନା କରିଛନ୍ତି। ପାକିସ୍ତାନ ଗସ୍ତ ପାଇଁ ନିଜର ନାମ ଫେରାଇ ନେଇଥିବା ଖେଳାଳିଙ୍କ ମଧ୍ୟରେ ଟି-୨୦ ଅନ୍ତରାଷ୍ଟ୍ରୀୟ ଦଳର ଅଧିନାୟକ ଲସିଥ ମାଲିଙ୍ଗା ଓ ଆଞ୍ଜେଲୋ ମାଥ୍ୟୁସ୍ ମଧ୍ୟ ସାମିଲ। 

କ୍ରିକଇନଫୋର ରିପୋର୍ଟ ମୁତାବକ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ବୋର୍ଡ କହିଛି ଯେ ଦଳରେ ସାମିଲ ଖେଳାଳିଙ୍କୁ ସେପ୍ଟେମ୍ବର ୨୭ରୁ ପାକିସ୍ତାନରେ  ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧିତ ସୂଚନା ଦିଆଯାଇଥିଲା। ମାତ୍ର ୧୦ ଖେଳାଳି ପାକିସ୍ତାନ ଯିବାକୁ ମନା କରିଛନ୍ତି। 

ଏହି ୧୦ ଖେଳାଳିଙ୍କ ମଧ୍ୟରେ ଲସିଥ୍ ମାଲିଙ୍ଗା,  ଆଞ୍ଜେଲୋ ମାଥ୍ୟୁସଙ୍କ ବ୍ୟତୀତ ନିରୋସେନ୍ ଡିକଓ୍ଵାଲେ, ଲୁସଲ ପେରେରା, ଧନଞ୍ଜୟ ଡି ସିଲଭା, ତିସାରା ପେରେରା, ଅକିଲା ଧନଞ୍ଜୟ, ସୁରଙ୍ଗା ଲାକମଲ, ଦିନେଶ ଚାନ୍ଦିମାଲ ଓ ଦିମୁଥ କରୁଣାରତ୍ନେ। 

ଏହି ଗସ୍ତକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନିଜର ଖେଳାଳିଙ୍କ ସହିତ ସୁରକ୍ଷା ଚିନ୍ତାକୁ ନେଇ ସୋମବାର ମହତ୍ଵପୂର୍ଣ୍ଣ ବୈଠକ କରିଥିଲା। ବୈଠକ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦ୍ଵାରା ଜାରି ବିଜ୍ଞପ୍ତି ଅନୁସାରେ  ବୋର୍ଡ ଖେଳାଳିଙ୍କ ସୁରକ୍ଷା ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥିଲା ଏବଂ ଖେଳାଳିଙ୍କୁ ଏହି ଗସ୍ତରେ ଯିବେ କି ନାହିଁ ନିଷ୍ପତ୍ତି ଜଣାଇବାକୁ ସ୍ଵାଧୀନତା ଦିଆଯାଇଥିଲା।

୨୦୦୯ରେ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଥିବା ବେଳେ ସେଠାରେ ନିଜର ଖେଳାଳିଙ୍କ ଉପରେ ଆତଙ୍କୀ ହମଲା ହୋଇଥିଲା। ବଡ଼ ମୁସ୍କିଲରେ ଶ୍ରୀଲଙ୍କା ଖେଳାଳିଙ୍କୁ ଏହି ହମଲାରୁ ରକ୍ଷା କରାଯାଇଥିଲା। ଏହି ଆତଙ୍କବାଦୀ ହମଲାରେ ଶ୍ରୀଲଙ୍କାର କିଛି ଖେଳାଳି ଆହତ  ହୋଇଥିଲେ। ଏହା ପରେ ପାକିସ୍ତାନରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଆୟୋଜନ ବନ୍ଦ ହୋଇଗଲା। ୨୦୧୫ରେ ଜିମ୍ବାଓ୍ଵେ ଓ ୨୦୧୮ରେ ଓ୍ଵେଷ୍ଟଇଣ୍ଡିଜ  କ୍ରିକେଟ୍ ଦଳ  ପାକିସ୍ତାନକୁ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ନିଶ୍ଚୟ ଆସିଛନ୍ତି, ମାତ୍ର ଏବେ ମଧ୍ୟ କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ ପାଇଁ ରାଜି ହୋଇ ନାହାନ୍ତି।