Home > କ୍ରୀଡ଼ା
ଭାରତ-ଆଫ୍ରିକା ତୃତୀୟ ଟେଷ୍ଟ, ରାହାଣେଙ୍କ ଶତକ, ଦ୍ୱିଶତକ ଅଭିମୁଖେ ରୋହିତ
Khabar Odisha:sports-odisha-india-south-affrica-third-test-ajinkya-rahane-century
ରାଂଚି, ଅକ୍ଟୋବର ୨୦(ଖବର ଓଡିଶା):

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ ଆଜିଙ୍କ ରାହାଣେ ଶତକ ଲଗାଇଛନ୍ତି । ସେ ଆଜି ଦ୍ୱିତୀୟ ଦିନରେ ୧୬୯ ବଲରୁ ୧୪ଟି ଚୌକା ଓ ଗୋଟିଏ ଛକା ମାରି ନିର ଶହେ ରନ ପୂରଣ କରିଛନ୍ତି । ଅନ୍ୟପଟେ ଓପନର ରୋହିତ ଶର୍ମା ମଧ୍ୟ ୧୫୧ ରନ କରି ଅପରାଜିତ ରହିଛନ୍ତି । ଉଭୟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ୨୦୦ ରନର ପାଟନରସିପ୍ ହୋଇଛି । 

ଆଜି ସକାଳେ ଭାରତ ୨୨୪ ରନରୁ ଖେଳ ଆରମ୍ଭ କରିଥିଲା । ଉଭୟ ରୋହିତ ଓ ରାହାଣେ ସତର୍କତାର ସହ ଖେଳିଥିଲେ । ଉଭୟ ଦଳକୁ ମଜବୁତ ସ୍ଥିତିରେ ରଖିବା ସହ ରୋହିତ ୧୫୦ ରନ ଓ ରାହଣେ ୧୦୦ ଲଗାଇଥିଲେ । 

ଗତକାଲିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହାଇଥିଲା । ଦଳ ସଅଳ ତିନୋଟି ୱିକେଟ୍ ହରାଇଥିଲା । ତେବେ ରୋହିତ ଓ ରାହାଣେ ସତର୍କତାର ସହ ବ୍ୟାଟିଂ କରିଥିଲେ ।  ରୋହିତ ଟେଷ୍ଟ କ୍ୟାରିୟରରେ ଷଷ୍ଠ ଏବଂ ଚଳିତ ଶୃଙ୍ଖଳାରେ ତୃତୀୟ ଶତକ ହାସଲ କରିଥିଲେ। ରୋହିତ ପ୍ରଥମେ ୫୫ ବଲରୁ ୨୩ ରନ କରିଥିଲେ। ମାତ୍ର ପରବର୍ତ୍ତୀ ୭୫ ରନ ସେ ୭୮ ବଲରୁ କରିଥିଲେ। ସେ ଛକା ମାରି ନିଜର ଶତକ ପୂରଣ କରିଥିଲେ। ଅନ୍ୟପଟେ ରୋହିତଙ୍କୁ ଉପଯୁକ୍ତ ସହାୟତା ଦେଇଥିବା ଆଜିଙ୍କ୍ୟ ରାହାଣେ ୭୦ ବଲରୁ ୨୧ତମ ଅର୍ଦ୍ଧଶତକ ହାସଲ  କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରୋହିତ ୧୬୪ ବଲରୁ ୧୪ ଚୌକା ଓ ୪ ଛକା ବଳରେ ୧୧୭ ରନ ଏବଂ ରାହାଣେ ୧୩୫ ବଲରୁ ୧୧ ଚୌକା ଓ ୧ ଛକା ଜରିଆରେ ୮୩ ରନ କରି ଅପରାଜିତ ରହିଥିଲେ । 

ଏହି ଶତକ ସହ ରୋହିତ ଶର୍ମା ଅନେକ ରେକର୍ଡ କରିଛନ୍ତି। ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ତିନୋଟି ଶତକ ହାସଲ କରିବାରେ ରୋହିତ ଏକମାତ୍ର ଭାରତୀୟ ଓପନର ହୋଇଛନ୍ତି। ଏହା ପୂର୍ବରୁ ଓପନର ଭାବେ ସୁନିଲ ଗାଭାସ୍କର ୧୯୭୦ରେ ଏହି ଉପଲବ୍ଧି  ହାସଲ କରିଥିଲେ। ଏହା  ସହିତ ରୋହିତ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ଅଦ୍ୟାବଧି ଶୃଙ୍ଖଳାରେ ୧୭ଟି ଛକା ମାରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ ସିମରନ ହେଟମାୟରଙ୍କ ନାମରେ ଥିଲା। ହେଟମାୟର ୨୦୧୮ରେ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧୫ଟି ଛକା ମାରିଥିଲେ। 

ପ୍ରଥମ ଦିନର ପ୍ରଥମ ସେସନକୁ ବାଦ୍ ଦେଲେ ପୂରା ଦିନ ଭାରତୀୟ ବ୍ୟାଟସମ୍ୟାନ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ଭାବେ କାଗିସୋ ରାବଡ଼ା ୫୪ ରନ ଦେଇ ୨ ଓ ଅନରିଚ୍ ନର୍ତ୍ତେଜ ୧ ଓ୍ଵିକେଟ୍ ନେଇଛନ୍ତି।


  • Tags: