Home > ରାଜ୍ୟ
ବସ୍ତାନି ବୋଝକୁ ନେଇ ଦେଖାଦେଇଛି ତତ୍ପରତା, ଭୁବନେଶ୍ୱରରେ ସ୍କୁଲ ବ୍ୟାଗ ଓଜନ ଯାଂଚ କରୁଛନ୍ତି ସ୍ୱତନ୍ତ୍ର ସ୍କ୍ୱାର୍ଡ଼
Khabar Odisha:State-Education-Odisha-SchooSpecial-squad-constituted-by-Khurda-district-administration-conducts-inspection-of-weight-of-school-bags-in-two-private-schools-in-Bhubaneswar
ଭୁବନେଶ୍ୱର, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ବୟସ କମ ଥିବା ବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନ ଠାରୁ ଅଧିକ ହୋଇ କୋମଳମତି ସେମାନଙ୍କ ପାଇଁ ବୋଝ ସାଜୁଛି । ସ୍କୁଲ ପିଲାଙ୍କ ବସ୍ତାନି ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା ।  ଆଜି ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଂଚି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି ।

ସ୍କୁଲ ପିଲାଙ୍କ ବ୍ୟାଗ ଓଜନକୁ କମ କରିବା ଦିଗରେ ଭୁବନେଶ୍ୱରରେ ଆଜି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଟିମ ଦୁଇଟି ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟରେ ପହଂଚିଛନ୍ତି । ସେଠାରେ ପହଂଚି ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ପରଖୁଥିବା ସୂଚନା ମିଳିଛି । ପିଲାଙ୍କ ସ୍କୁଲ ବ୍ୟାଗ ଯାଂଚ ପାଇଁ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରିଥିଲେ । ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାକୁ ମାସେ ବିତିଲାଣି । ଏହା ପରେ କେଉଁ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି କେଉଁଠି ହୋଇନାହିଁ ସେନେଇ ତଦାରଖ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବା ସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ଅଗଷ୍ଟ ୨ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

  • Tags: