Home > ରାଜ୍ୟ
ନିରାଡମ୍ବର ସହ ସରିଲା ହର-ପାର୍ବର୍ତୀଙ୍କ ବିବାହ, ଆଜି ଶୀତଳଷଷ୍ଠୀରେ ବି ଗର୍ଜିବନି ସମ୍ବଲପୁର
Khabar Odisha:State-Marriage-of-Shiv-and-Parvati-finished-across-the-shiv-temple-Shitalsasti-today

ଭୁବନେଶ୍ୱର, ମେ ୨୮(ଖବର ଓଡ଼ିଶା): ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ନିରାଡମ୍ବର ସହିତ ବୁଧବାର ବିଳମ୍ବିତ ରାତି ସଂପନ୍ନ ହୋଇଛି । ସମ୍ବଲପୁରସ୍ଥିତ ବିଭିନ୍ନ ଶିବ ମନ୍ଦିରଗୁଡ଼ିକରେ ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡ଼ିବା ପରଂପରା ରାତିରେ ଅନୁଷ୍ଠିତ ହୋଇଛି । ବିଧି ଅନୁସାରେ ମହାଦେବଙ୍କ ବିବାହର ପରଦିନ ଶୀତଳଷଷ୍ଠୀ ପରଂପରା ଅନୁଷ୍ଠିତ ହୋଇଥାଏ । ଏଥର ପ୍ରଥମ ଥର ପାଇଁ ଦେବ ଦମ୍ପତ୍ତି ବିବାହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ବିବାହ ପାଇଁ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ନଥିଲା । ଶୀତଲଷଷ୍ଠୀ ଦିନ ସମ୍ବଲପୁର ସକାଳରୁ ରାତି ପର୍ଯ୍ୟନ୍ତ ଲୋକାରଣ୍ୟ ଥାଏ । ସହରକୁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥାଏ । ଶୀତଲଷଷ୍ଠୀ ପାଇଁ ସହରର ବିଭିନ୍ନ ସ୍ଥାନରେ ମେଳା ପଡ଼ିଥାଏ । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଯୁବପୀଢ଼ି ଉତ୍ସାହିତ ଥାଆନ୍ତି । କିନ୍ତୁ କରୋନା ଭାଇରସ ଯୋଗୁଁ, ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଫିକା ପଡ଼ିଛି । ସମ୍ବଲପୁରବାସୀଙ୍କ ମନରେ ଉତ୍ସାହ ନାହିଁ । 

ନନ୍ଦପଡ଼ାର ବଂବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କୁ ବୁଧବାର ସକାଳୁ ବରବେଶରେ ସଜାଯାଇଥିଲା । ମହାପ୍ରଭୁଙ୍କୁ ସୁନା ଓ ରୂପାରେ ସଜାଇ ବାହାବେଦୀକୁ ନିଆଯାଇଥିଲା । ମହାପ୍ରଭୁଙ୍କୁ କନ୍ୟା ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ବିଳମ୍ବିତ ରାତିରେ ଶେଷ ହୋଇଥିଲା । ଏହି ଭଳି ଭାବରେ ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କର ମଧ୍ୟ ବିବାହ କାର୍ଯ୍ୟ ଶେଷ ହୋଇଥିଲା । ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ଦୁର୍ଗାପାଲିର ଗୁଡେଶ୍ୱର ବାବା, ବୁଢ଼ାରଜାର ପାହାଡେଶ୍ୱର ବାବା, ଭତରାର ଶଙ୍କର ବାବା, କଟରଧୁଆର ମହାକାଳେଶ୍ୱର ବାବା, ଗୋବିନ୍ଦତୋଲାର ସ୍ୱପ୍ନେଶ୍ୱର ବାବା, ସାକ୍ଷୀପଡ଼ାର ଓଁକାରେଶ୍ୱର ବାବା ଓ ସିନ୍ଦୁରପଙ୍କର ତାରକେଶ୍ୱର ବାବାଙ୍କର ବିବାହ ସଂପନ୍ନ ହୋଇଥିଲା ।

ଏଥି ସହିତ ବୁଧବାର ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ଶିବାଳୟରେ ହର-ପାର୍ବତୀଙ୍କ ବିବାହ ନିରାଡମ୍ବର ସହିତ ସଂପନ୍ନ ହୋଇଛି । କରୋନା ଭାଇରସ ଯୋଗୁଁ ମନ୍ଦିରଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ବିଦ୍ଧି ପାଳନ ହୋଇଛି । 

 

  • Tags: