Home > ରାଜ୍ୟ
କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ ରାଜ୍ୟ ସରକାର - ଧର୍ମେନ୍ଦ୍ର ପ୍ରଧାନ
Khabar Odisha:State-Odisha-Dharmendra-Pradhan-initiatives-Ayushman-Yojana
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଭାରତ ସରକାରଙ୍କର ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶାବାସୀ ତଥା ସାରାଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ ।
ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର। ଆଜିର ଏହି ସଙ୍କଟର ଘଡିରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହିତ ଛିଡାହେବାର ସମୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ମୋର ଆନ୍ତରିକ ନିବେଦନ ଯେତେ ଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ରାଜ୍ୟର ସାଧାରଣ ଗରୀବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

  • Tags: