Home > ରାଜ୍ୟ
ଟୋକେନ ବ୍ୟବସ୍ଥା ବିରୋଧରେ ତେଜିଲା ଚାଷୀ ଆନ୍ଦୋଳନ, କଲେକ୍ଟୋରେଟ ପରିସରରେ ଧାନ ରଖି ପ୍ରତିବାଦ କରିବାକୁ ନିଷ୍ପତି
Khabar Odisha:State-Odisha-Farmers-in-Sambalpur-decide-to-stage-protest-by-placing-paddy-bags-in-front-of-district-collectorate-today
ସମ୍ବଲପୁର, ନଭେମ୍ବର ୧୮(ଖବର ଓଡ଼ିଶା):

 ୩ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇପାରି ନାହିଁ । ଧାନ ସଂଗ୍ରହ ପାଇଁ ସରକାରଙ୍କ ନୂଆ ଟୋକେନ ବ୍ୟବସ୍ଥାରେ କେତେକ ଚାଷୀ ଟୋକେନ ପାଇ ନଥିବାରୁ ଚାଷୀଙ୍କ ଅସନ୍ତୋଷ ଆହୁରି ତୀବ୍ର ହୋଇଛି ।  ଚାଷୀ ସଂଗଠନ ପକ୍ଷରୁ ଆଜି କଲେକ୍ଟୋରେଟ ପରିସରରେ ଓ କାଲି ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ରଖି ପ୍ରତିବାଦ କରିବାକୁ ନିଷ୍ପତି ନିଆଯାଇଛି ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି ପାଇଁ ଟୋକେନ ବ୍ୟବସ୍ଥାକ ଚାଷୀମାନେ ବିରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏଭଳି ଟୋକେନକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି । ୩ଦିନ ହେଲା ମଣ୍ଡିରେ ଜଗି ଜଗି ଟୋକେନ ନ ପାଇ ହତାଶ ହେଲେଣି ଚାଷୀ । କିଛି ଚାଷୀ ଟୋକେନ ପାଇଥିବା ବେଳେ ମାର୍କେଟ ୟାର୍ଡରେ ସରକାରୀ ବାବୁଙ୍କ ଦେଖା ନାହିଁ । ତେଣୁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ସୁବର୍ଣ୍ଣପୁର ଆଦି  ଜିଲ୍ଲାର ହଜାର ହଜାର ଚାଷୀ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଗୋଡ଼ଭଙ୍ଗା ଉପର ବଜାର ପ୍ରାଙ୍ଗଣରେ ମେଳି କରି ଆନ୍ଦୋଳନ ଜାରି ରହିଥିବା ବେଳେ ସମ୍ବଲପୁର କଚେରୀ ପଡ଼ିଆରେ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ଏହି ଟୋକେନ ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ସରକାରଙ୍କୁ ଚାଷୀମାନେ ଆଜି ଦିନ ୧୨ଟା ଯାଏ ମହଲତ ଦେଇଥିଲେ । ସମୟ ସରିଥିବା ବେଳେ ଏଯାଏଁ ଟୋକେନ ବ୍ୟବସ୍ଥା ଉଚ୍ଛେଦ ହୋଇ ନାହିଁ । ତେଣୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ ଚାଷୀ ସଂଗଠନ ନିଷ୍ପତି ନେଇଛି । 

ଆଜି କଲେକ୍ଟୋରେଟ ପରିସରରେ ଓ କାଲି ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ରଖି ପ୍ରତିବାଦ କରିବାକୁ ନିଷ୍ପତି ନେଇଛି ଚାଷୀ ସଂଗଠନ । ଅତାବିରା ତହସିଲରେ ଚାଷୀ ଓ ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଫଳରେ ଉତ୍ୟକ୍ତ ଚାଷୀ କର୍ମଚାରୀଙ୍କୁ ବାହାର କରି ତହସିଲ ଅଫିସରରେ ତାଲା ପକାଇ ଦେଇଛନ୍ତି ।

  • Tags: