Home > ରାଜ୍ୟ
ଝାରସୁଗୁଡ଼ାରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଜଣେ ମହାରାଷ୍ଟ୍ର ଫେରନ୍ତା, ଅନ୍ୟ ଜଣେ ଏକ ବର୍ଷର ଶିଶୁ କନ୍ୟା
Khabar Odisha:State-corona-Two-more-asymptomatic-cases-are-tested-COVID-positive-in-Jharsuguda

ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା): ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ଜଣେ ମହାରାଷ୍ଟ୍ର ଫେରନ୍ତା ୪୦ ବର୍ଷିଅ ଯୁବକ ହୋଇଥିବା ବେଳେ ଅନ୍ୟ ଜଣେ ଏକ ବର୍ଷର ଶିଶୁକନ୍ୟା ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି । 

ଏକ ବର୍ଷର ଶିଶୁକନ୍ୟା ଝାରସୁଗୁଡ଼ା ସହରର ମଙ୍ଗଳବଜାରର ବୋଲି ଜଣାପଡ଼ିଛି । ଏଠାରୁ କାଲି ଜଣେ ୫ ବର୍ଷର ଶିଶୁପୁତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେ ପରିବାର ଲୋକଙ୍କ ସହ ବାହାର ରାଜ୍ୟରୁ ଆସି ହୋମ କ୍ୱାରେଣ୍ଟାଇନରେ ଥିଲା । ଆଜି ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତ ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସଂପୃକ୍ତ ବ୍ୟକ୍ତି ମହାରାଷ୍ଟ୍ରରୁ ନିକଟରେ ଫେରିଥିଲେ । 

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ଆହୁରି ୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରେ କରୋନା ପଜିଟିଭ ପୁଣି ବାହାରିଥିବାରୁ ଲୋକଙ୍କ ମନରେ ଡର ପଶିଛି । ଏଥି ସହ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସାମଲ ମଙ୍ଗଳବଜାରର ଏକ ଅଂଶ ଏବଂ ବ୍ରଜରାଜନଗରସ୍ଥିତ ଡିଏଭି ସ୍କୁଲ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । 

 

  • Tags: