Home > ରାଜ୍ୟ
ତେଲ ନଦୀରେ ବନ୍ୟା, ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍
Khabar Odisha:State-odisha-tomorrow-one-gate-open-in-hirakud-dam-due-to-flood-in-tel-river
ଭୁବନେଶ୍ଵର,ଅଗଷ୍ଟ୧୩(ଖବର ଓଡ଼ିଶା):

୨ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଫୁଲୁଛି। ହୀରାକୁଦ ଡ୍ୟାମକୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି। ଅନ୍ୟ ପଟେ ତେଲ ନଦୀରେ ବନ୍ୟା  ଆସିଛି। ଫଳରେ ଆସନ୍ତାକାଲି ଅଳ୍ପ ସମୟ ପାଇଁ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା। 

ପ୍ରଦୀପ ଜେନା କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ଉପର ମୁଣ୍ଡରେ ତେଲ ନଦୀରେ ବନ୍ୟା ଆସିଛି। ଫଳରେ ଆସନ୍ତାକାଲି ହୀରାକୁଦର କେବଳ ଗୋଟିଏ ଗେଟ୍ ଖୋଲାଯିବ। ଅଳ୍ପ ସମୟ ଖୋଲାଯିବା ପରେ ପୁଣି ଗେଟ୍ ବନ୍ଦ କରି ଦିଆଯିବ। ତେଣୁ ଆସନ୍ତାକାଲି ସାଙ୍କେତିକ ଭାବେ ଗେଟ୍ ଖୋଲି ବନ୍ଦ କରି ଦିଆଯିବ। ପୂର୍ବରୁ ୧୪ ତାରିଖରେ ଗେଟ୍ ଖୋଲାଯିବ ବୋଲି ଧାର୍ଯ୍ୟ ହୋଇଥିଲା। 

ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢିବାରେ ଲାଗିଛି । ପୂର୍ବାହ୍ନରେ ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୫୪ ଘନଫୁଟ ରହିଛି। ନଦୀବନ୍ଧର ଜଳ ଧାରଣା କ୍ଷମତା ୬୩୦ ଘନ ଫୁଟ ରହିଛି । ତେଣୁ ତଳିଆ ଅଂଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସତର୍କ କରାଯାଇଛି । 

ଛତିଶଗଡ, ସମ୍ବଲପୁର, ଝାରସୁଗୁଡାରେ ଲଗାଣ ବର୍ଷା କାରଣରୁ ହୀରାକୁଦର ଛାତି ଫୁଲୁଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮୦୪୯୧ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ପ୍ରତି ସେକେଣ୍ଡରେ ୧୮୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଫଳରେ ଆସନ୍ତାକାଲି ସୁଦ୍ଧା ଜଳସ୍ତର ୬୧୭.୮ ଘନଫୁଟ କିମ୍ବା ୬୧୮ ଘନଫୁଟରେ ପହଁଚିବ ବୋଲି ଅନୁମାନ କରିଛି। 

ଏବେ ସୁଦ୍ଧା ଡ୍ୟାମର ଜଳସ୍ତର ୬୧୫.୫୪ ଘନଫୁଟ ରହିଛି । ତେବେ ଆସନ୍ତା କାଲି ସାଙ୍କେତିକ ଭାବେ ବନ୍ୟା ଜଳ ନିଷ୍କାସିତ ହେବ । ଆସନ୍ତାକାଲି ଗେଟ୍ ଖୋଲାଯିବା ନେଇ ସମ୍ବଲପୁର, ବୁର୍ଲା, ହୀରାକୁଦ ଏବଂ ଆଖପାଖ ଅଂଚଳରେ ପ୍ରଚାର କରାଯାଉଛି । ମହାନଦୀ ଅବବାହିକାକୁ ନଯିବାକୁ ଓ ଗୃହପାଳିତ ଜୀବଜନ୍ତୁଙ୍କୁ ନଛାଡିବାକୁ କଟକଣା ଜାରୀ କରାଯାଇଛି ।