Home > ରାଜ୍ୟ
ବିଜେପୁର ଉପ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ
Khabar Odisha:bijepur-by-election-11-voting-by-9-am
ବିଜେପୁର, ଅକ୍ଟୋବର ୨୧ (ଖବର ଓଡ଼ିଶା):

କଡ଼ା ସୁରକ୍ଷା ମଧ୍ୟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଛି । କେଉଁଠି ବି କୌଣସି ବିଶୃଙ୍ଖଳାର ସୂଚନା ମିଳି ନାହିଁ । ତେବେ ଏହାରି ମଧ୍ୟରେ ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରୁଛନ୍ତି । ବିଜେଡ଼ିରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ମୋଟ ୨୮୫ ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର, ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର, ୧୫ ଜଣ ତୃତୀୟ ଲିଙ୍ଗି ଭୋଟର୍‌ ରହିଛନ୍ତି । 

୧୩୫ଟି ସମ୍ବେଦନଶୀଳ ବୁଥ ରହିଛି । ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିଛନ୍ତି । ୨,୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି ।